ଠିକାଦାରଙ୍କ ମନମାନି: ଜଙ୍ଗଲ କାଟି ରାସ୍ତା ତିଆରି, ସ୍ଥାୟିତ୍ୱ ନେଇ ପ୍ରଶ୍ନ

ମହାକାଳପଡ଼ା,୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ସୁରକ୍ଷା ପାଇଁ ତଟ ବନ୍ଧ ବିଭାଗ ପକ୍ଷରୁ ଖରିନାସୀ- ବାରନମ୍ବର ଘେରିବନ୍ଧ ପ୍ରଶସ୍ତୀକରଣରେ ଉଚ୍ଚ, ଓସାରିଆ ଓ ପାର୍ଶ୍ୱରେ ପଥର ବିଛାଇବା ପାଇଁ ବହୁ କୋଟି ଟଙ୍କା ବ୍ୟୟରେ କାମ ହେଉଛି । ଅପର ପକ୍ଷରେ ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମାନି ଯୋଗୁ ଜଙ୍ଗଲ ପାର୍ଶ୍ୱରେ ଲୁଣା ଜାତୀୟ ଗଛ ଯଥା ରାଇ, ବନି, ସିନ୍ଦୁକା, ପିଞ୍ଛା ଓ କାଳିଆ ଚୁଆଁ ସମେତ ହେନ୍ତାଳ ପ୍ରଜାତି ଗଛଗୁଡ଼ିକୁ ଜେସିବିରେ କାଟି ନାଳି କରୁଥିବା ଦେଖିବାକୁ ମିଳୁଛି। ପରେ ଜଙ୍ଗଲ ପାର୍ଶ୍ୱରେ ଛୋଟ ଛୋଟ ପଥର ବିଛା ଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଲୋକମାନଙ୍କ କହିବା କଥା ଆମ ଅଞ୍ଚଳ ବାତ୍ୟା ପ୍ରଭାବିତ ହୋଇଥିବାରୁ ଲୁଣା ହେନ୍ତାଳ ଜଙ୍ଗଲ ଆମକୁ ସୁରକ୍ଷା ଦେଉଛି। ରାସ୍ତା ନିର୍ମାଣ ନାଁରେ ଦଶ କୋଡ଼ିଏ ବର୍ଷର ଗଛଗୁଡ଼ିକୁ ଜେସିବିରେ ତାଡ଼ି ନଷ୍ଟ କରୁଥିବା ସେମାନେ କହିଛନ୍ତି।
ବନ ବିଭାଗ ଓ ଠିକାଦାରଙ୍କ ମଧ୍ୟରେ କି ପ୍ରକାରର ଗୁପ୍ତ ବୁଝାମଣା ରହିଛି ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଭାଗ ପକ୍ଷରୁ ଉକ୍ତ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟର ସରକାରୀ ନିୟମ ଅନୁସାରେ ସୂଚନା ଫଳକ ଦେଖିବକୁ ମିଳୁନି ବୋଲି କୁହାଯାଉଛି। ସେହିପରି ଏହି ରାସ୍ତା ନିର୍ମାଣରେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ସ୍ଲୁଇସ୍‌ ଗେଟ ନିର୍ମାଣ କାର୍ଯ୍ୟରେ ନଦୀର ଲୁଣି ପାଣି ବ୍ୟବାହର କରାଯାଉଛି। ଯାହାର ସ୍ଥାୟିତ୍ୱ ନେଇ ଉଠିଛି ପ୍ରଶ୍ନ। ଚାଷୀମାନଙ୍କ କହିବା କଥା ଏହି ୮ ଶହ ଏକର ଓ ୧୨ ଶହ ଏକର ଅଞ୍ଚଳ ଲୁଣା ଜଙ୍ଗଲର ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପ ସ୍ବାଗତ ଯୋଗ୍ୟ। ତେବେ ରାସ୍ତା ନିର୍ମାଣ ନାଁରେ ଜଙ୍ଗଲ କାଟିବାକୁ ଠିକାଦାରଙ୍କୁ କିଏ ଅନୁମତି ଦେଲା ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବା ପାଇଁ ବୁଦ୍ଧିଜୀବୀ ତଥା ସାମାଜିକକର୍ମୀ ନରୋତ୍ତମ ପାର୍ଥ ସାରଥୀ ଓ ଚାଷୀ ନେତା ଅଙ୍କୁର ପଲାଇ ଦାବି କରିଛନ୍ତି। କୋଷ୍ଟାଲ ଓଡ଼ିଶା ଇକୋ ଫାଉଣ୍ଡେଶନ ମୁଖ୍ୟ ପରିବେଶବିତ୍‌ ଚିନ୍ମୟ କୁମାର ଦାସ କହିଛନ୍ତି, ବିକାଶ ନାଁରେ ବିନାଶ କରା ନ ଯାଉ। ଗୋଟିଏ ଗଛ କାଟିବା ପୂର୍ବରୁ ଶହେ ଗଛ ଲଗାଯାଉ। ଗଛ କାଟିବା ପାଇଁ ଏମାନଙ୍କୁ ଅନୁମତି ଦେଲା କିଏ। ଗଛ କାଟି ପରିବେଶକୁ ନଷ୍ଟ କରିବାକୁ ବିରୋଧ କରୁଛୁ। ଏ ନେଇ ରାଜନଗର ଡିଏଫ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି।
ଏ ସଂକ୍ରାନ୍ତରେ ମହାକାଳପଡ଼ା ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କ ମତାମତ ନେବାରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share