ଜଙ୍ଗଲ କିସମ ଜମି ପାକ୍ସରେ ଚାଷୀ ପଞ୍ଜୀକରଣରେ ବାଧକ, ସ୍ବଳ୍ପ ମୂଲ୍ୟରେ ଧାନ କିଣି ମାଲାମାଲ ଦଲାଲ ହେଉଛନ୍ତି

ମହାକାଳପଡ଼ା, ୨୬ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର ଖରିନାସି, ଜମ୍ବୁ, ରାମନଗର, ସୁନିତି ପଞ୍ଚାୟତ ସମେତ ଅନ୍ୟ ଅଞ୍ଚଳରୁ କେତେଜଣ ଧାନ ବ୍ୟବସାୟୀ ଓ ଦଲାଲ ଚାଷୀଙ୍କଠାରୁ ସ୍ବଳ୍ପ ମୂଲ୍ୟରେ ଧାନ କିଣି ମାଲାମାଲ ହେଉଛନ୍ତି। ନଦୀ ପଥ ଦେଇ ଡଙ୍ଗା ଓ ସଡ଼କ ପଥରେ ବଡ଼ ଟ୍ରକ ଯୋଗେ ଜିଲା ବାହାରକୁ ଚାଲାଣ କରୁଥିବା ନଜରକୁ ଆସୁଛି। ବତିଘର ଓ ଖରିନାସି ପଞ୍ଚାୟତର କେତେଜଣ ଚାଷୀଙ୍କ କହିବା କଥା, ବ୍ୟବସାୟୀ, ଦଲାଲମାନଙ୍କ ଜରିଆରେ ଅମଳ ଧାନକୁ କୁଇଣ୍ଟାଲ ପିଛା ୧୫ ଶହରୁ ୧୬ ଶହ ଟଙ୍କାରେ ବିକ୍ରି କରିବାକୁ ପଡୁଛି। ବ୍ୟବସାୟୀଙ୍କ କମ୍ପ୍ୟୁଟର ମେଶିନ କଣ୍ଟା ଓଜନରେ ଠକେଇ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କାରଣ ବହୁ ଚାଷୀଙ୍କ ଜଙ୍ଗଲ କିସମ ଜମି ହୋଇଥିବାରୁ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ପଞ୍ଜୀକୃତ ହୋଇନାହିଁ। ତେଣୁ ବାଧ୍ୟ ହୋଇ ଖୋଲା ବଜାରରେ ଧାନ ବ୍ୟବସାୟୀମାନଙ୍କୁ ସ୍ବଳ୍ପ ମୂଲ୍ୟରେ ବିକିବାକୁ ବାଧ୍ୟ ହେଉଛୁ ବୋଲି କମଲ ଦାସ, ହରି ମଣ୍ଡଳ, ଖୋକନ ମଣ୍ଡଳ, ଭବସିନ୍ଧୁ ମାଇତି ପ୍ରମୁଖ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ଲକର ୨୪ ପାକ୍ସରେ ମଣ୍ଡି ଖୋଲାଯାଇ ଚାଷୀମାନଙ୍କଠାରୁ ଧାନ କିଣାଯାଉଛି। ହେଲେ ମାସେ ଗଲାଣି ଆଉ ୨ ମାସ ମଧ୍ୟରେ ସମସ୍ତ ଚାଷୀମାନେ ମଣ୍ଡିରେ ଧାନ ଦେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। କଟନିଛଟନି ଉପରେ ପ୍ରଶାସନ ତୀକ୍ଷଣ ନଜର ରଖିବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ସମବାୟ ଓ ଯୋଗାଣ ବିଭାଗ ପକ୍ଷରୁ ଏକ ମିଳିତ ସ୍କ୍ବାଡ ଗଠନ କରାଯାଇ ବେଆଇନ ଧାନ ବ୍ୟବସାୟୀ ଓ ଦଲାଲମାନଙ୍କ ପ୍ରତି କଡ଼ା ନଜର ରଖିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ପଚାରିବାରେ ଅଭିଯୋଗ ଆସିଲେ ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily