କଳା ବ୍ୟାଜ୍‌ ପିନ୍ଧି ଆନ୍ଦୋଳନ କଲେ ବନ କର୍ମଚାରୀ

ବଲାଙ୍ଗୀର,୧୬ା୬(ସୁନୀଲ କୁମାର ମହାନ୍ତି): ରାଜ୍ୟର ଜଙ୍ଗଲ ସୁରକ୍ଷା ଓ ପରିଚାଳନାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ପଦବୀରେ ଥିବା ବନ ବିଭାଗର କର୍ମଚାରୀ। ଜଙ୍ଗଲରେ ନିଆଁ ଲିଭାଇବା, ଗଛକୁ ସୁରକ୍ଷା ଦେବା, ଶିକାରୀଙ୍କଠାରୁ ବନ୍ୟଜନ୍ତୁଙ୍କୁ ରକ୍ଷା କରିବା ଭଳି ବିପଦପୂର୍ଣ୍ଣ କାମ କରୁଛନ୍ତି ଏହି କର୍ମଚାରୀମାନେ। କିନ୍ତୁ ବାରମ୍ବାର ଶିକାରୀଙ୍କ ଗୁଳିରେ ଜୀବନ ହରାଇବା ସହ ସୁରକ୍ଷା ଅଭାବ ଉଦ୍ଦେଶ୍ୟରେ ରବିବାରଠାରୁ ଫରେଷ୍ଟ ରେଞ୍ଜ ଅଫିସ ବଲାଙ୍ଗୀର କର୍ମଚାରୀମାନେ କଳା ବ୍ୟାଜ୍‌ ପରିଧାନ କରିଛନ୍ତି।

କଳା ବ୍ୟାଜ୍‌ ପରିଧାନ କରି ଅଫିସ ସ୍ବାଭାବିକ ଭାବରେ କାମ କରୁଛନ୍ତି। ସରକାର ଯଦି ତାଙ୍କ ଦାବିକୁ ଶୀଘ୍ର ପୂରଣ ନ କରନ୍ତି ତେବେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସର୍କଲ କାର୍ଯ୍ୟାଳୟ ସମ୍ମୁଖରେ ୟୁନିଫର୍ମ ଓ କଳା ବ୍ୟାଜ୍‌ ପିନ୍ଧି ଧାରଣାରେ ବସିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ପରେ ମଧ୍ୟ ସରକାର ଉପେକ୍ଷା କଲେ ସେମାନେ ସାମୂହିକ ଛୁଟି ନେଇ ଭୁବନେଶରରେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ବନ କର୍ମଚାରୀମାନେ ବାରମ୍ବାର ରାଜ୍ୟ ସରକାରଙ୍କୁ ନିଜର ସମସ୍ୟା ଓ ଦାବି ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହି ପରିପ୍ରେକ୍ଷୀରେ ସୋମବାର ବଲାଙ୍ଗୀର ଜିଲାରେ ବନଖଣ୍ଡରେ କାର୍ଯ୍ୟରତ ଡେପୁଟି ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡମାନେ ଉପସ୍ଥିତ ଥିଲେ। ସେହିପରି ଜିଲାରେ ୧୧ଟି ରେଞ୍ଜରେ ଆନ୍ଦୋଳନ ଜାରି ରହିଥିବା ବେଳେ ୨୫୦ ବନ କର୍ମଚାରୀ ସାମିଲ ଥିବା ସୂଚନା ଦିଆଯାଇଛି l

Share