ଦାରିଙ୍ଗବାଡ଼ି,୧୯ା୪(ଅରୁଣ ସାହୁ): ଗଞ୍ଜାମ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ସିମନବାଡ଼ି ସେକ୍ସନ ବୁରାଙ୍ଗିଆଠାରୁ ବୁଡ଼ାଗୁଡ଼ାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଉକ୍ତ ରାସ୍ତାରେ ଏକାଧିକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛ। ଉକ୍ତ ପୋଲରେ ସେଣ୍ଟ୍ରିଂ ପାଇଁ ଲକ୍ଷାଧିକ ଟଙ୍କାର କାଠ ନିକଟସ୍ଥ ଜଙ୍ଗଲରୁ କାଠକାଟି ଆଣି ବ୍ୟବହାର କରାଯାଉଛି ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶିତ ପରେ ବନ ବିଭାଗ ସିମନବାଡ଼ି ସେକ୍ସନର ବନପାଳ ବନିତା ପ୍ରଧାନ ଏବଂ ବନରକ୍ଷୀ ସଞ୍ଜୀବ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ କେଉଁ ପରିସ୍ଥିତିରେ ଓ କେଉଁଠୁ ଏତେଗୁଡ଼ିଏ କାଠ ଅଣାଯାଇଛି ସେନେଇ କାର୍ଯ୍ୟ କରୁଥିବା ମିସ୍ତ୍ରୀ ଓ ଶ୍ରମିକମାନଙ୍କୁ ପଚରାଉଚରା କରିଛି। ଏବେ ମଧ୍ୟ ସେଣ୍ଟ୍ରିଂ କାର୍ଯ୍ୟ ଚାଲୁଥିବାରୁ ମିସ୍ତ୍ରୀକୁ କାର୍ଯ୍ୟବନ୍ଦ ରଖିବାକୁ ବନ ବିଭାଗ ନିର୍ଦ୍ଦେଶ ଦେଇଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂ ଏବଂ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିବା ସହ କାଠରେ କରାଯାଇଥିବା ସେଣ୍ଟ୍ରିଙ୍ଗ କୁ ବାହାର କରି ପାଇଲନ ବ୍ୟବହାର କରି ପୋଲର ଛାତ ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ ଠିକାଦାରଙ୍କୁ ଘଟଣାସ୍ଥଳରୁ ଏହି ନିର୍ଦ୍ଦେଶ ଫୋନ୍ ଯୋଗେ ଦେଇଛନ୍ତି।
ପ୍ରକଶ ଯେ, ବୁଡ଼ାଗୁଡ଼ାଠାରୁ ବୁରାଙ୍ଗିଆକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା ନିର୍ମାଣ କରାଯାଉଛି। ରାସ୍ତାରେ ସଂଯୋଗୀକରଣ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ମୂଲ୍ୟବାନ ଶାଳକାଠକୁ ସେଣ୍ଟ୍ରିଂ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଯାହାକି ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରୁ କାଠ କାଟି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥିଲା। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ପୂର୍ବରୁ ଠିକାସଂସ୍ଥାକୁ ପାଇଲନ ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଠିକା ସଂସ୍ଥା ପାଇଲନ ବଦଳରେ କାଠ ବ୍ୟବହାର କରୁଥିଲା। ଯାହାକି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂ କାଠକୁ ବାହାର କରି ପାଇଲନ ବ୍ୟବହାର ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।