ବିଦ୍ୟୁତ୍‌ ଫାଶ ଲଗାଇ ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ୟମ, ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଦେଗଗଡ଼,୭ା୧୧(ଶଶାଙ୍କ ଶେଖର ଝାଙ୍କର): ଜିଆଇ ତାର ଯୋଗେ ବିଦ୍ୟୁତ ଫାଶ ଲଗାଇ ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ୟମ ବେଳେ ବନ ବିଭାଗ ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛି। ଦେବଗଡ଼ ବନଖଣ୍ଡ ଅଧିକାରିଣୀ ରଶ୍ମି ଜୀଙ୍କ ନିର୍ଦ୍ଦେଶ କ୍ରମେ ବାରକୋଟ ବନାଞ୍ଚଳ ପିଟାମୁଣ୍ଡ ଗ୍ରାମ ନିକଟ ପାଉଡ଼ି ସଂରକ୍ଷିତ ଜଙ୍ଗଲରେ ବୁଧବାର ରାତି ବନବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିଲେ। ଉକ୍ତ ସମୟରେ ଜାଲିସୁଆଁ ପିଟାମୁଣ୍ଡ ଗ୍ରାମର ସମାଇ ମୁଣ୍ଡା (୪୮) ବେଆଇନ ଭାବେ ୧୧-କେଭି ବିଦ୍ୟୁତ ତାରରୁ ଜିଆଇ ତାର ଯୋଗେ ହୁକିଂ କରି ବାର୍‌ହା ତଥା ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ଫାଶ ବିଛାଉଥିଲା। ବନ ବିଭାଗ କର୍ମଚାରୀ ଏହା ଦେଖିବା ପରେ ସମାଇକୁ କାବୁ କରିବା ସହିତ ଘଟଣାସ୍ଥଳରୁ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ଟଣା ଯାଇଥିବା ଜିଆଇତାର, କାଚ ବୋତଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ସମାଇକୁ ବାରକୋଟ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଥିବା ବେଳେ ଜନ୍ତୁ ଶିକାର ପାଇଁ ଜିଆଇ ତାର ଯୋଗେ ବିଦ୍ୟୁତ ଫାଶ ପକାଇ ଥିବା ସ୍ବୀକାର କରିଥିଲା। ଫଳରେ ସମାଇକୁ ଗିରଫ କରାଯାଇଥିଲା। ସମାଇଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Dharitri – Odisha’s No.1 Trusted Odia Daily

Share