ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ ଆକାର (୨.୪୯ ଘନଫୁଟ) କାଠ ବୋଝେଇ ଏକ ବାଇକ୍‌ ଜବତ କରିଥିଲେ। ଜଣେ ଅଭିଯୁକ୍ତ ପର୍ଶୁରାମ ଦାସ (୪୫)ଙ୍କୁ ଗିରଫ କରିଛନ୍ତି। ଭୋର୍‌ ସମୟରୁ ଏକ ବାଇକ୍‌ ଯୋଗେ ପର୍ଶୁରାମ ଶାଳ କାଠ ନେଉଥିବା ବେଳେ ବନ ବିଭାଗର ପାଟ୍ରୋଲିଂ ସମୟରେ ହାବୁଡ଼ରେ ପଡ଼ିଯାଇଥିଲେ। ବନ କର୍ମଚାରୀଙ୍କୁ ଦେଖି ସ୍ପିଡ୍‌ରେ ବାଇକ ଧରି ପଳାଉଥଲେ। ବନବିଭାଗର କର୍ମଚାରୀମାନେ ପିଛା କରି ବାଇକ୍‌ ବୋଝେଇ ଶାଳକାଠକୁ ଧରିଥିଲେ। ଶାଳକାଠ ଚୋରକୁ କାବୁ କରି ଗିରଫ କରିବା ସହ ଅଧିକ ତଦନ୍ତ ପାଇଁ ଶାଳକାଠ ଓ ବାଇକ୍‌କୁ ଜବତ କରି ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା। ଏହି ଅପରେଶନରେ ରେଞ୍ଜ ଅଫିସର ସାଗର ରାଜ ନାୟକଙ୍କ ନେତୃତ୍ୱରେ ପାଟଣାଗଡ଼ ରେଞ୍ଜର ଫରେଷ୍ଟର ବିନୋଦ ବିହାରୀ ଧାରୁଆ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ।

ସେହିପରି ମଙ୍ଗଳବାର ପାଟଣାଗଡ଼ ଏବଂ ବଲାଙ୍ଗୀର ରେଞ୍ଜର ବନ ଅଧିକାରୀମାନେ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପାଟନାଗଡ଼ ରେଞ୍ଜ ଅନ୍ତର୍ଗତ ଭୁଣ୍ଡିମୁହାଣର ଜମ୍ବେଶ୍ୱର ସାହୁ(୬୨)ଙ୍କ ଘରେ ଚଢାଉ କରିଥିଲେ। ଜମ୍ବେଶ୍ୱର ସାହୁ କୌଣସି ବୈଧ କାଗଜପତ୍ର ବିନା ୩୭ ଟି ଗମ୍ଭାରୀ ପଟା, ୧୬ଟି ଶାଗୁଆନ ପଟା, ୫ଟି ଶାଗୁଆନ ଆକାରର, ୧୦ଟି ଶାଗୁଆନ ଲଗ, ୬ଟି ଗମ୍ଭାରୀ ଗଣ୍ଡି ଏବଂ ୪ଟି ବିଜା ଗଣ୍ଡି ଗଚ୍ଛିତ କରିଥିଲେ।

ଫଳସ୍ବରୂପ ଅନ୍ୟ ବନ ଅଧିକାରୀ ଏବଂ ପ୍ରୋଟେକ୍ସନ ସ୍କ୍ବାଡ୍‌କୁ ଉପସ୍ଥିତିରେ ଘଟଣାସ୍ଥଳରେ ଏକ ଜବତ ତାଲିକା ପ୍ରସ୍ତୁତ କରାଯାଇଥିଲା। ଜବତ ସାମଗ୍ରୀଗୁଡ଼ିକୁ ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା। ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Share