୧୪ ଅକ୍ଟୋବର, ୨୦୨୬ରେ କେନ୍ଦ୍ର କ୍ୟାବିନେଟ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆଇଡିବିଆଇ) ଥିବା ୬୦.୭୨% ନିୟନ୍ତ୍ରଣକାରୀ ଅଂଶଧନ ୫.୫୬ ବିଲିୟନ ଡଲାର ବା ୫୨,୮୭୮ କୋଟି ଟଙ୍କା ମୂଲ୍ୟରେ ‘ଫେୟାରଫ୍ୟାକ୍ସ’କୁ ବିକ୍ରି କରିବାକୁ ଅନୁମୋଦନ ଦେଇଛି। ଏହି ନିଷ୍ପତ୍ତି ଭାରତର ବ୍ୟାଙ୍କିଙ୍ଗ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ସୂଚିତ କରେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପରେ ବିଦେଶୀକରଣ ନୀତିକୁ ଗୁରୁତ୍ୱ ଦିଆଯାଉଛି, ଯାହା ଆତ୍ମନିର୍ଭରଶୀଳ ଭାରତ ଚିନ୍ତାଧାରାର ପରିପନ୍ଥୀ। ବର୍ତ୍ତମାନ ଆଇଡିବିଆଇ ବ୍ୟାଙ୍କରେ ସରକାର ଏବଂ ଭାରତୀୟ ଜୀବନ ବୀମା ନିଗମ ( ଏଲ୍ଆଇସି) ମିଳିତ ଭାବରେ ୯୪.୭୨% ଅଂଶଧନ ରହିଛି। ଏଥିମଧ୍ୟରୁ ଏଲ୍ଆଇସି ପାଖରେ ୪୯.୨୪% ଏବଂ ସରକାରଙ୍କ ପାଖରେ ବାକି ୪୫.୪୮% ଅଂଶଧନ ରହିଛି। ସର୍ବସାଧାରଣ ଅଂଶଧାରକମାନଙ୍କ ପାଖରେ ୫.୨୮% ଅଂଶଧନ ରହିଛି।
ସରକାର ଏହାକୁ ‘ଷ୍ଟ୍ରାଟେଜିକ ବିନିବେଶ’ ବଦଳରେ ‘ଷ୍ଟ୍ରାଟେଜିକ ପୁନର୍ଗଠନ’ ବୋଲି କହୁଛନ୍ତି। ତଥାପି କେବଳ ଶବ୍ଦ ବଦଳାଇ ଦେଲେ ଆର୍ଥିକ ବାସ୍ତବତା ଲୁଚିଯାଏ ନାହିଁ। ଯେତେବେଳେ ଜଣେ ବିଦେଶୀ ଘରୋଇ ନିବେଶକ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସଂସ୍ଥାରେ ସର୍ବାଧିକ ମାଲିକାନା ଏବଂ ପରିଚାଳନା ନିୟନ୍ତ୍ରଣ ହାସଲ କରନ୍ତି, ତେବେ ଏହାକୁ ଉଭୟ ‘ଘରୋଇକରଣ’ ଏବଂ ‘ବିଦେଶୀକରଣ’ ବୋଲି କୁହାଯାଇପାରେ। ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ସରକାରଙ୍କ ଦ୍ୱାରା ୧୯୬୪ରେ ଏକ ବିକାଶମୂଳକ ଆର୍ଥିକ ସଂସ୍ଥା ଭାବରେ ସ୍ଥାପିତ ଆଇଡିବିଆଇର ଉଦ୍ଦେଶ୍ୟ ଥିଲା ଶିଳ୍ପାୟନ ଏବଂ ଭିତ୍ତିଭୂମି ପାଇଁ ଦୀର୍ଘକାଳୀନ ଆର୍ଥିକ ସହାୟତା ଯୋଗାଇବା। ପରବର୍ତ୍ତୀ ସମୟରେ ୨୦୦୪ ରେ ଏହା ଏକ ବ୍ୟାଙ୍କିଙ୍ଗ କମ୍ପାନୀରେ ପରିଣତ ହେଲା, ଯାହା ବଜାର-ଭିତ୍ତିକ ଆର୍ଥିକ ପରିଚାଳନା ଆଡ଼କୁ ହୋଇଥିବା ଏକ ବ୍ୟାପକ ପରିବର୍ତ୍ତନକୁ ସୂଚିତ କରୁଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଋଣ ପ୍ରଦାନ, ଋଣ ଆଦାୟରେ ବିଫଳତା ଏବଂ ଅଣ-କାର୍ଯ୍ୟକ୍ଷମ ସମ୍ପତ୍ତି ବା ଏନ୍ପିଏ ବା ଖରାପ ଋଣ ବୃଦ୍ଧି ପାଇବା କାରଣରୁ ବ୍ୟାଙ୍କଟି ସଙ୍କଟର ସମ୍ମୁଖୀନ ହେଲା। ୨୦୧୮ ସେପ୍ଟେମ୍ବର ସୁଦ୍ଧା ଏହାର ମୋଟ ଅଣ-କାର୍ଯ୍ୟକ୍ଷମ ସମ୍ପତ୍ତି ବା ଖରାପ ଋଣ ୩୧.୭୮% ଏବଂ ନିଟ୍ ଅଣ-କାର୍ଯ୍ୟକ୍ଷମ ସମ୍ପତ୍ତି ୧୭.୩୦% ପହଞ୍ଚିଥିଲା। ‘ପୁଞ୍ଜି ପର୍ଯ୍ୟାପ୍ତତା ଅନୁପାତ’ ୬.୨୨ %କୁ ଖସି ଆସିଥିଲା।
ବ୍ୟାଙ୍କର ଆର୍ଥିକ ସ୍ଥିତି ଉପରେ ନଜର ରଖିବା, ଏହାକୁ ପରିଚାଳନା କରିବା ଏବଂ ପୁନର୍ବାର ସୁଧାରିବା ପାଇଁ ରିଜର୍ଭ ବ୍ୟାଙ୍କ ୨୦୧୭ ମେ ମାସରେ ଏହାକୁ ‘ତ୍ୱରିତ ସଂଶୋଧନାତ୍ମକ କାର୍ଯ୍ୟାନୁଷ୍ଠାନ’ ଢାଞ୍ଚା ଅଧୀନରେ ରଖିଥିଲା। ଯେତେବେଳେ ବ୍ୟାଙ୍କଟି ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ କୌଣସି ଘରୋଇ କମ୍ପାନୀ ଏହାକୁ ଉଦ୍ଧାର କରିବା ପାଇଁ ଆଗେଇ ଆସିନଥିଲା। ସେହି ସମୟରେ ଭାରତ ସରକାର ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥା ଏଲ୍ଆଇସି ଏହି ସଂସ୍ଥାକୁ ସମର୍ଥନ ଯୋଗାଇବା ସହ ପୁନର୍ଜୀବିତ କରିବା ପାଇଁ ପଦକ୍ଷେପ ନେଇଥିଲେ। ୨୦୧୦ ରୁ ୨୦୨୦ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟ ୨୫,୦୦୦ କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦିଆଯିବା ସହିତ ଏଲ୍ଆଇସି ମୋଟ ୨୧,୬୨୪ କୋଟି ଟଙ୍କା ବିନିଯୋଗ କରି ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ହାସଲ କରିଥିଲା। ଏହା ଫଳରେ ନିୟାମକ ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ଆଇଡିବିଆଇ ବ୍ୟାଙ୍କକୁ ଏକ ‘ଘରୋଇ କ୍ଷେତ୍ରର ବ୍ୟାଙ୍କ’ ଭାବରେ ପୁନଃ ଶ୍ରେଣୀଭୁକ୍ତ କରିଥିଲା। ଯଦିଓ ଏହାର ନିୟନ୍ତ୍ରଣ ଏଲ୍ଆଇସି ନିୟନ୍ତ୍ରଣରେ ଥିଲା। ୨୦୨୦ ଡିସେମ୍ବରରେ ‘କ୍ୱାଲିଫାଏଡ ଇନ୍ଷ୍ଟିଚ୍ୟୁଶନାଲ ପ୍ଲେସମେଣ୍ଟ’ ମାଧ୍ୟମରେ ଆଇଡିବିଆଇ ବ୍ୟାଙ୍କ ଅର୍ଥ ସଂଗ୍ରହ କରିଥିବାରୁ ଏଲ୍ଆଇସିର ଅଂଶଧନ ୧.୭୬% ହ୍ରାସ ପାଇ ୪୯.୨୪%ରେ ପହଞ୍ଚିଥିଲା। ଆଇଡିବିଆଇ ବ୍ୟାଙ୍କ ଏକ ସହଯୋଗୀ କମ୍ପାନୀରେ ପରିଣତ ହୋଇଥିଲା।
ଏହି ପୁନର୍ଗଠନ ପ୍ରକ୍ରିୟା ବିଶେଷଭାବେ ଏଲଆଇସିର ପରିଚାଳନା ବ୍ୟାଙ୍କର ଆର୍ଥିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ସହ ଏହାର ସ୍ଥିତିକୁ ସୁଦୃଢ଼ କରିଥିଲା। ମାର୍ଚ୍ଚ ୨୦୨୬ ସୁଦ୍ଧା ଆଇଡିବିଆଇ ବ୍ୟାଙ୍କର ମୋଟ ଏନ୍ପିଏ ହ୍ରାସ ପାଇ ୨.୩୨% ଏବଂ ନିଟ୍ ଏନ୍ପିଏ ୦.୧୫%କୁ ହ୍ରାସ ପାଇଥିଲା। ବ୍ୟାଙ୍କର କ୍ୟାପିଟାଲ ଆଡେକ୍ୱେସି ରେସିଓ ୨୬.୬୫%କୁ ବୃଦ୍ଧି ପାଇଲା ବେଳେ ୨୦୨୫-୨୬ ବର୍ଷରେ ଏହାର ନିଟ୍ ଲାଭ ୯,୫୧୩ କୋଟି ଟଙ୍କାରେ ପହଞ୍ଚିଥିଲା। ପୂର୍ବ ଆର୍ଥିକ ବର୍ଷର ୭,୫୧୫ କୋଟି ଟଙ୍କା ତୁଳନାରେ ଏହା ପ୍ରାୟ ୨୭% ଅଧିକ। ବର୍ଷକ ମଧ୍ୟରେ ବ୍ୟାଙ୍କର ମୋଟ ଜମା ୧୨% ବୃଦ୍ଧି ପାଇ ୩.୪୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ନିଟ ଅଗ୍ରିମ ଋଣ ୧୬% ବୃଦ୍ଧି ପାଇ ୨.୫୪ ଲକ୍ଷ କୋଟି ଟଙ୍କା ହୋଇଥିଲା। ୨୦୨୬ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କର ମୋଟ ବ୍ୟବସାୟ ୬.୨୭ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା, ଯାହା ଗତବର୍ଷ ତୁଳନାରେ ୧୮%। ବର୍ତ୍ତମାନ ଆଇଡିବିଆଇ ବ୍ୟାଙ୍କ ସାରା ଦେଶରେ ୨,୧୦୦ରୁ ଅଧିକ ଶାଖା ଏବଂ ୩,୦୦୦ରୁ ଅଧିକ ଏଟିଏମ ମାଧ୍ୟମରେ ନିଜର ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରୁଛି। ଏହାର ସେବା ମଧ୍ୟରେ ଖୁଚୁରା ବ୍ୟାଙ୍କିଙ୍ଗ୍, କର୍ପୋରେଟ ବ୍ୟାଙ୍କିଙ୍ଗ୍, ଟ୍ରେଜେରି ପରିଚାଳନା, ବିଭିନ୍ନ ପ୍ରକାରର ଋଣ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସେବା ଅନ୍ତର୍ଭୁକ୍ତ।
କିନ୍ତୁ ମୁଖ୍ୟ ପ୍ରଶ୍ନ ହେଉଛି: ଯେତେବେଳେ ଏଲ୍ଆଇସି ପରି ରାଷ୍ଟ୍ରାୟତ୍ତ ସଂସ୍ଥା ଏବଂ ସରକାରଙ୍କ ସହାୟତ୍ତା ଏକ ସଙ୍କଟଗ୍ରସ୍ତ ବ୍ୟାଙ୍କକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କଲେ, ସେତେବେଳେ ସେଥିରେ ଥିବା ରାଷ୍ଟ୍ରାୟତ୍ତ ସଂସ୍ଥା ଓ ସରକାରୀ ମାଲିକାନାକୁ କାହିଁକି ହ୍ରାସ କରାଯିବ? ଘରୋଇ ବା ବିଦେଶୀ ନିବେଶକଙ୍କୁ ସେହି ବ୍ୟାଙ୍କର ଭବିଷ୍ୟତ ଏବଂ ରଣନୀତିକ ନିଷ୍ପତ୍ତି ଉପରେ ନିୟନ୍ତ୍ରଣ ହାସଲ କରିବାକୁ କ୍ଷମତା ଦିଆଯିବ? ସରକାରୀ ସମ୍ପତ୍ତିର ମୂଲ୍ୟାଙ୍କନ କେବଳ ସେଥିରୁ ମିଳୁଥିବା ତତ୍କାଳ ରାଜସ୍ବ ଆଧାରରେ କରାଯିବା ଉଚିତ ନୁହେଁ; ବରଂ ଭବିଷ୍ୟତରେ ମିଳିବାକୁ ଥିବା ନିୟମିତ ଲାଭାଂଶ, ଟିକସ ବାବଦ ସମ୍ବଳ, ସମାଜର ଅବହେଳିତ ବର୍ଗଙ୍କୁ ସେବା ଯୋଗାଇବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଭଳି ବିଷୟଗୁଡ଼ିକୁ ମଧ୍ୟ ବିଚାରକୁ ନିଆଯିବା ଉଚିତ।
ଘରୋଇ ପରିଚାଳନା ବ୍ୟବସ୍ଥାରେ କର୍ମଚାରୀ ସଂଖ୍ୟା ହ୍ରାସ, ଆଉଟସୋର୍ସିଂ, କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ବୃଦ୍ଧି ଏବଂ କଠୋର ଓ ଅବାସ୍ତବ ଲକ୍ଷ୍ୟ ନିର୍ଦ୍ଧାରଣ ମାଧ୍ୟମରେ କେବଳ ଲାଭକୁ ଅଗ୍ରାଧିକାର ଦିଆଯାଏ। ଏହା ଫଳରେ ନୂତନ ନିଯୁକ୍ତି ସୃଷ୍ଟି ହେବ ନାହିଁ ବରଂ ଛଟେଇ ହେବ, ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଋଣ ପ୍ରଦାନରେ ଅବହେଳା ପ୍ରଦର୍ଶନ ହେବ। ଗ୍ରାମାଞ୍ଚଳ ତଥା ବଞ୍ଚିତ ଜନସାଧାରଣଙ୍କ ନିକଟରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ଭଳି କାର୍ଯ୍ୟଗୁଡ଼ିକ ଅବହେଳିତ ହୋଇପାରେ। ଏହା ସହିତ ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀଙ୍କ ଚାକିରି ସୁରକ୍ଷା, ସେବା ସର୍ତ୍ତାବଳୀ, ସାମୂହିକ ଦାବି ଉପସ୍ଥାପନ କରିବାର ଅଧିକାର ଏବଂ ପେନସନ ସମ୍ବନ୍ଧୀୟ ସୁବିଧାଗୁଡ଼ିକ ମଧ୍ୟ ବିପଦରେ ପଡ଼ିପାରେ। ଭାରତରେ ଗ୍ଲୋବାଲ ଟ୍ରଷ୍ଟ ଭଳି ଘରୋଇ ବ୍ୟାଙ୍କକୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ଶ ଉଦ୍ଧାର କରିଥିଲା। ଆଇଡିବିଆଇ ବ୍ୟାଙ୍କର ସଙ୍କଟର ମୂଳ କାରଣ ଥିଲେ ଘରୋଇ ବ୍ୟବସାୟୀ ଓ କମ୍ପାନୀମାନେ, ଯେଉଁମାନେ ଋଣ ଶୁଝିଲେ ନାହିଁ। ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଛଅ ବର୍ଷ ମଧ୍ୟରେ ଆଇଡିବିଆଇ ବ୍ୟାଙ୍କ ପ୍ରାୟ ୪୫,୫୩୬ କୋଟି ଟଙ୍କାର ଋଣକୁ ରାଇଟ ଅଫ କରିଥିଲେ। କିନ୍ତୁ ସେଥିମଧ୍ୟରୁ ମାତ୍ର ୩,୨୭୧ କୋଟି ଟଙ୍କା ଅର୍ଥାତ ମାତ୍ର ୭% ହିଁ ଆଦାୟ ହୋଇଥିଲା। ଭାରତ ଯଦି ବିଶ୍ୱ ଆର୍ଥିକ ସଙ୍କଟ ଦ୍ୱାରା କମ୍ ପ୍ରଭାବିତ ହୋଇଥାଏ, ତାହାର କାରଣ ଥିଲା ଶକ୍ତିଶାଳୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ ଓ ବୀମା ବ୍ୟବସ୍ଥା। ଏଣୁ ବ୍ୟାଙ୍କିଙ୍ଗ ଓ ବୀମା ସର୍ବଦା ସରକାରଙ୍କ ନିୟନ୍ତ୍ରଣରେ ରହିବା ଉଚିତ। ଯଦି ଏହି ବିଦେଶୀକରଣ ରୋକା ନ ଯାଏ, ତେବେ ଭବିଷ୍ୟତରେ ଏହା ତୀବ୍ରତର ହେବ।
ମୋ:୯୪୩୭୨୦୮୭୬୨

