ପ୍ରଥମ ଥର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ମାଟିରେ ଭାଜପା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି: ମୋଦି

ନୂଆଦିଲ୍ଲୀ,୪।୬: ୨୦୨୪ ନିର୍ବାଚନ ଫଳାଫଳ ଆସିବା ପରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ଏନ୍‌ଡିଏ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିଛି। ଏମିତିରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟାଳୟରେ ମୋଦି ଦେଶବାସୀଙ୍କ ସମେତ ନିର୍ବାଚନରେ ସମର୍ପଣ ଭାବ ସହ କାର୍ଯ୍ୟ କରିଥିବା କର୍ମୀ, କର୍ମଚାରୀ, ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ବାର୍ତ୍ତା ଦେଇଛନ୍ତି।

ମୋଦି କହିଛନ୍ତି, ପ୍ରବଳ ଖରାରେ ଦଳୀୟ କର୍ମୀ, ପୋଲିଂ ଅଫିସର ଏବଂ ଅନ୍ୟ ସମସ୍ତ ଅଧିକାରୀ ନିଜର ଦାୟିତ୍ୱ ସୂଚାରୁରୂପେ ସମ୍ପାଦନ କରିଛନ୍ତି। ଦଳ ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକିମ ଭଳି ରାଜ୍ୟରେ ରେକର୍ଡ କରିଛି। ସେଠାରେ କଂଗ୍ରେସର ସ୍ଥିତି ଶୋଚନୀୟ ହୋଇଛି। ପ୍ରଥମ ଥର ପାଇଁ ଭାଜପା ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି। ଲୋକସଭାରେ ମଧ୍ୟ ଦଳ ଅଧିକ ଆସନ ହାତେଇଛି। ପ୍ରଥମ ଥର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ମାଟିରେ ଭାଜପା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି।

ସେହିଭଳି କେରଳରେ ମଧ୍ୟ ଭାଜପା ଭଲ ପ୍ରଦର୍ଶନ କରିଛି। ଅନେକ ବର୍ଷ ଧରି କରିଥିବା ସଂଘର୍ଷର ପରିଣାମ ଏବେ ମିଳିଛି। ତେଲେଙ୍ଗାନାରେ ଅମ ସଂଖ୍ୟା ଦୁଇଗୁଣା ହୋଇଛି। ବାକି ଅନେକ ରାଜ୍ୟରେ ଆମ ଦଳ କ୍ଲିନ ସୁଇପ୍‌ କରିଛି। ତେବେ ଦେଶବାସୀଙ୍କୁ କହିବାକୁ ଚାହୁଁଛି କେନ୍ଦ୍ର ସରକାର ଆପଣଙ୍କ ବିକାଶ ପାଇଁ ସମସ୍ତ କାର୍ଯ୍ୟ କରିବେ ୧୦ ବର୍ଷ ପୂର୍ବେ ଦେଶ ପରିବର୍ତ୍ତନର ଜନାଦେଶ ଦେଇଥିଲା। ସେହି ଆସ୍ଥା ଆଜି ବି ବଜାୟ ରହିଛି ବୋଲି ମୋଦି କହିଛନ୍ତି।

Share
Tags: bjpodisha