ଧରିତ୍ରୀରେ ଖବର ପ୍ରକାଶ ପରେ ଖାଦ୍ୟ ସୁରକ୍ଷା ଟିମର ତତ୍ପରତା, ହୋଟେଲରେ ଚଢ଼ାଉ କରି…

ଗଞ୍ଜାମ(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଯାଞ୍ଚ ହେଉନି ଖାଦ୍ୟର ମାନ । ଅପମିଶ୍ରିତ ଏବଂ ଭେଜାଲ ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ଗତ ୬ ତାରିଖରେ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା । ତେବେ ଖବର ପ୍ରକାଶ ପାଇବା ପରେ ସହରର ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନ ଓ ଫାଷ୍ଟ ଫୁଡ ଆଦି ଦୋକାନ ଗୁଡିକରେ ଚଢ଼ାଉ କରିଥିଲା ଖାଦ୍ୟ ସୁରକ୍ଷା ଟିମ । ବ୍ରହ୍ମପୁର ସିଡିଏମ ଅଫିସର ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟ କୁମାର ପାଢ଼ୀ, ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆ, ଏମଆଇସି ଜଗତ ଜ୍ୟୋତି ସାମଲ, ସିଓ ଅଞ୍ଜଳି ପାଢ଼ୀ, ଦେବାନନ୍ଦ ପ୍ରଧାନ, ଟିସି ଲକ୍ଷ୍ମୀ ଚରଣ ପାଢ଼ୀ, ଡିଏମଏମ ଶ୍ରୀମନ୍ତ ପାତ୍ର ପ୍ରମୁଖ ଚଢ଼ାଉ ବେଳେ ଉପସ୍ଥିତ ଥିଲେ ।

ବିଭିନ୍ନ ହୋଟେଲରେ ପହଂଚି ଖାଦ୍ୟର ମାନ ଯାଞ୍ଚ କରିବା ସହ ଯେ କୌଣସି ଖାଦ୍ୟରେ କଲର କିମ୍ଵା ରାସାୟନିକ ପଦାର୍ଥ ବ୍ୟବହାର ନକରିବାକୁ ଅଧିକାରୀମାନେ ତାଗିତ କରିଥିଲେ । ଏଥିସହ ହୋଟେଲ କିମ୍ବା ଜଳଖିଆ ଦୋକାନ ଗୁଡିକ ସଫା ଓ ସୁସ୍ଥ ପରିବେଶ ମଧ୍ୟରେ ରଖିବାକୁ ପରାମର୍ଶ ଦେଇଥିଲେ ଫୁଡ ଅଫିସର । ଅନ୍ୟପଟେ ଅଧିକାଂଶ ଫାଷ୍ଟ ଦୋକାନ ଗୁଡିକ ପ୍ରାୟ ସନ୍ଧ୍ୟା ସମୟରେ ଖୋଲୁ ଥିବା ଯୋଗୁଁ ସେମାନଙ୍କ ଯାଞ୍ଚ ହୋଇ ପାରୁ ନାହିଁ । ଏହି ଯାଞ୍ଚ ଧର୍ମକୁ ଆଖି ଠାର ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଉକ୍ତ ଖାଦ୍ୟ ସୁରକ୍ଷା ଟିମ ସନ୍ଧ୍ୟା ସମୟରେ ଆସି ଖାଦ୍ୟର ମାନ ଯାଞ୍ଚ କରି ବାକୁ ଜନସାଧାରଣ ଦାବି କରିଛନ୍ତି ।

ପ୍ରକାଶ ଯୋଗ୍ୟ ଗଞ୍ଜାମ ସହରରେ ହୋଟେଲ ଓ ବିଭିନ୍ନ ଫାଷ୍ଟ ଫୁଡ ଦୋକାନ ଗୁଡିକରେ ବିଭିନ୍ନ ଅପମିଶ୍ରିତ ଜିନିଷ ତେଲ ଓ ରାସାୟନିକ ରଙ୍ଗ ମିଶ୍ରଣ ସହ ଭେଜାଲ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଅଧିକ ସ୍ୱାଦିଷ୍ଟ ଓ ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ଦୋକାନୀମାନେ ଏହିଭଳି କରୁଥିବା ସହରରେ ଚର୍ଚ୍ଚା ହେଉଛି । ହୋଟେଲ କିମ୍ଵା ଫାଷ୍ଟ ଫୁଡ ଓ ଜଳଖିଆ ଦୋକାନ ଗୁଡିକରେ ତିଆରି ହେବା ପରେ ଖାଦ୍ୟ ସାମଗ୍ରୀକୁ ଘୋଡା ଯାଉନଥିବା ଯୋଗୁଁ ବିଭିନ୍ନ ସମୟରେ ଉକ୍ତ ଖାଦ୍ୟ ପଦାର୍ଥରେ ମଶା ମାଛି ବସୁଛନ୍ତି । ଏଥିସହ ରାସ୍ତା କଡ଼ ଉଠା ଦୋକାନୀ ରାସ୍ତା ଦେଇ ଯାଉଥିବା ଗାଡି ଧୂଆଁ ଓ ଧୂଳି ମଳି ଖାଦ୍ୟରେ ଲାଗୁଛି । ଉକ୍ତ ଖାଦ୍ୟକୁ ଖାଇବା ଦ୍ୱାରା ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି ।

ବାରମ୍ବାର ସେହି ତେଲରେ ବିଭିନ୍ନ ଖାଦ୍ୟ ଛଣା ଯାଉଛି । ଶୀତ ଦିନ ଫାଷ୍ଟଫୁଡ ପାଇଁ ଭିଡ ଜମୁଥିବା ବେଳେ ଏଥିପାଇଁ କିଛି ଉଠା ଦୋକାନ ଗୁଡିକରେ ଜନଗହଳି ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି । କୌଣସି ଲୋକ ଏନେଇ ଅଭିଯୋଗ କଲେ ଇଛା ହେଲେ ଖାଅ ନହେଲେ ଯାଅ କାହାକୁ କହୁଛ କୁହ ବୋଲି ଧମକ ମିଳୁଥିବା ଜଣେ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily