ବନ୍ଧୁର ପଥ ପରେ

ରାସ୍ତାର ଦୁଇ ପାର୍ଶ୍ୱରେ ଦୁଇଟି ଜମି। ବହୁଦିନରୁ ପଡ଼ିଆ ପଡ଼ିଛି। ଦିନେ ଜମିମାଲିକ ଜଣେ କୃଷକଙ୍କୁ ଗୋଟିଏ ପଡ଼ିଆ ବିକିଦେଲେ। କୃଷକ ପ୍ରଥମେ ଘାସ, ବଣ ବୁଦା ସଫାକରି ଜମି ଚାରିପଟେ ବାଡ଼ ଘେରିଦେଲେ। ରାସ୍ତା ସେପଟେ ପଡ଼ିଆ ପଡ଼ିଥିବା ଜମି ହସି ହସି କହିଲା- ଏବେ ତୁ ବନ୍ଦୀ ହୋଇଗଲୁ। ପରଦିନ କୃଷକ ଲଙ୍ଗଳ ଆଣି ଜମିକୁ ହଳ କଲେ। ପଡ଼ୋଶୀ ଜମି କହିଲା- କି କଦର୍ଯ୍ୟ ଅବସ୍ଥା। ତୋତେ ଦେଖି ମୋ ମନରେ ଦୁଃଖ ଆସୁଛି। କୃଷକର ଜମି କିଛି କହୁ ନ ଥାଏ। ସେ ନିଜେ ବି ଜାଣିପାରୁ ନ ଥାଏ ତା’ ଜୀବନରେ କ’ଣ ସବୁ ଘଟିଯାଉଛି। ଆଗକୁ କ’ଣ ଘଟିବ?
କିଛିଦିନ ପରେ କୃଷକଙ୍କ ଯତ୍ନରେ ପଡ଼ିଆ ଜମିଟି ସବୁଜିମାରେ ପୂରିଗଲା। ଫୁଲ ଫୁଟିଲା। ଫଳ ଧରିଲା। ପକ୍ଷୀମାନେ ପତ୍ର ଗହଳରେ କଳକୁଜନ କଲେ। ରାସ୍ତାପାଖ ଗଛର ଛାଇରେ ବାଟୋଇମାନେ ବିଶ୍ରାମ ନେଲେ। କହିଲେ – ଆହା, କି ସୁନ୍ଦର ଦୃଶ୍ୟ। ଏଇଠି କିଛି ସମୟ ରହିଯିବାକୁ ମନ ହେଉଛି। ଜମିଟି ଭାବିଲା, ସତରେ ତା’ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିଛି। କୃଷକର ଯାଦୁକରି ସ୍ପର୍ଶରେ ତା’ର ଜୀବନ ଆଜି ଧନ୍ୟ ହୋଇଛି। ବସ୍ତୁ ହେଉ ବା ପ୍ରାଣୀ, ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ପଛରେ ଏମିତି କିଛି ଅନୁଶାସନ ଅବଶ୍ୟ ରହିଥାଏ। ଅନୁଶାସନର ବନ୍ଧୁର ପଥ ପାରିହେବା ପରେ ଯାଇ ଏକ ଦୁର୍ଲଭ ଜୀବନର ସୂତ୍ରପାତ ହୋଇଥାଏ। ଅନୁଶାସନ ହିଁ ଏକ ସାଧାରଣ ଜୀବନକୁ ଅସାଧାରଣ ଓ ସାର୍ବଜନୀନ କରିଦିଏ।
ଗୁରୁ ଶିଷ୍ୟ ସମ୍ପର୍କକୁ ନେଇ ଅନେକ ସ୍ମରଣୀୟ ଗଳ୍ପ ଆମର ପ୍ରାଚୀନ ଗ୍ରନ୍ଥ ଓ ପୁରାଣରେ ରହିଛି। ମହାଭାରତରେ ଗୁରୁ ଧୌମ୍ୟ ଓ ଶିଷ୍ୟ ଉପମନ୍ୟୁଙ୍କ ବିଷୟରେ ଯେଉଁ କଥାଟି ରହିଛି ତାହା ଆମକୁ ଦ୍ୱନ୍ଦ୍ୱ ଭିତରକୁ ଟାଣିନିଏ। ମନରେ ଅନେକ ପ୍ରଶ୍ନ ସୃଷ୍ଟିକରେ। ବିଦ୍ୟା ଅଧ୍ୟୟନ ପାଇଁ ଆସିଥିବା ଜଣେ ବାଳକକୁ ଗୁରୁ କାହିଁକି ଗାଈ ଜଗିବା ପାଇଁ ବଣକୁ ପଠାଇଲେ ? ଗାଈ ଜଗିବା ସହିତ ନିଜର ବୃତ୍ତି ପାଇଁ ସେ ଯେବେ ଭିକ୍ଷା କଲା ତା’ଠାରୁ ସବୁ ଭିକ୍ଷା ଅନ୍ନ ନେଇଗଲେ କାହିଁକି ? କେବଳ ସେତିକି ନୁହେଁ, ପରବର୍ତ୍ତୀ ସମୟରେ କ୍ଷୁଧା ନିବାରଣ ପାଇଁ ସେ ଯେଉଁ ସବୁ ଉପାୟ ଅବଲମ୍ବନ କଲା ଗୁରୁ କାହିଁକି ତାକୁ ସେସବୁଥିରୁ ବାରଣ କରିଥିଲେ ? ବିଚରା ବାଳକ ଶେଷରେ କିଛି ଖାଇବାକୁ ନ ପାଇ ଭୋକ ବିକଳରେ ଅରଖ ପତ୍ର ଖାଇ ଅନ୍ଧ ହୋଇଗଲା ଏବଂ ଆଶ୍ରମକୁ ଫେରିବା ରାସ୍ତାରେ ଗୋଟିଏ କୂଅ ଭିତରେ ପଡ଼ିଗଲା। ଜଣେ ବିଦ୍ୟାର୍ଥୀ ବାଳକ ପ୍ରତି ଗୁରୁ ଏତେ ନିଷ୍ଠୁର ହୋଇପାରିଲେ କିପରି ?
ଏସବୁ ପ୍ରଶ୍ନର ଉତ୍ତର ରହିଛି ବାଳକଟିର ନାମକରଣରେ। ଉପମନ୍ୟୁରେ ମନ୍ୟୁ ଶବ୍ଦର ଅର୍ଥ କ୍ରୋଧ। ଯେଉଁ ଲୋକ କ୍ରୋଧର ବଶବର୍ତ୍ତୀ ସେ ଉପମନ୍ୟୁ। ଅର୍ଥାତ୍‌ ଉପମନ୍ୟୁ ପିଲାଦିନରୁ କ୍ରୋଧୀ ଥିଲା। ଶିକ୍ଷାଦାନ ପୂର୍ବରୁ ଗୁରୁ ତାହାର ସେଇ କ୍ରୋଧଗୁଣକୁ ଶାନ୍ତ କରିବାକୁ ଚାହୁଁଥିଲେ। ସେଥିପାଇଁ ତାକୁ ଉପବାସରେ ରଖି ଅଧିକରୁ ଅଧିକ କ୍ରୁଦ୍ଧ କରିଥିଲେ। ସେ କହିଥିଲେ- ମୋତେ ନ ଦେଇ ତୁମେ କିଛି ଖାଇବ ନାହିଁ। କିନ୍ତୁ ଉପମନ୍ୟୁ ବାରମ୍ବାର ଗୁରୁଙ୍କ କଥାକୁ ଅମାନ୍ୟ କରି ଯାହା ପାଉଥିଲା ଖାଇ ଦେଉଥିଲା। ଶେଷରେ ଅରଖପତ୍ରର କୁପ୍ରଭାବରେ ଅନ୍ଧ ହୋଇ କୂଅରେ ପଡ଼ିଲା। ନିବିଡ଼ ଅରଣ୍ୟ ଭିତରେ ଏକୁଟିଆ ବାଳକ, ସେ ପୁଣି ଅନ୍ଧ, କୂଅରେ ପଡ଼ି ଉଠିବାକୁ ବାଟ ପାଉନାହିଁ। ସେତେବେଳେ ସେ ଦୁଃଖରେ ଭାଙ୍ଗିପଡ଼ିଛି। ଦୁଃଖ ଭିତରେ ଲୀନ ହୋଇଛି ତାହାର କ୍ରୋଧ। ମନ୍ୟୁ ଶବ୍ଦର ଅନ୍ୟ ଏକ ଅର୍ଥ ଶୋକ। ଅତ୍ୟନ୍ତ ଶୋକାକୁଳ ଅବସ୍ଥାରେ ବାଳକଟିର କ୍ରୋଧଗୁଣଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କ୍ରୋଧୀ ଉପମନ୍ୟୁରୁ ସେ ଦୁଃଖୀ ଉପମନ୍ୟୁରେ ପରିଣତ ହୋଇଛି। ଠିକ୍‌ ସେଇ ସମୟରେ ଗୁରୁ ତା’ ନିକଟରେ ଉପସ୍ଥିତ ହୋଇଛନ୍ତି। ସ୍ବର୍ଗ ବୈଦ୍ୟ ଅଶ୍ୱିନୀ କୁମାର ଦୁହିଁଙ୍କୁ ପ୍ରାର୍ଥନା କରିବାକୁ ଉପଦେଶ ଦେଇଛନ୍ତି। ସେମାନେ ଆସି ଉପମନ୍ୟୁକୁ ପିଠାଟିଏ ଖାଇବାକୁ ଦେଇଛନ୍ତି। ଉପମନ୍ୟୁ କହିଛି – ଗୁରୁଙ୍କୁ ନ ଦେଇ ମୁଁ ଏହି ପିଠା ଖାଇବି ନାହିଁ। ଏବଂ ସେଇ ମୁହୂର୍ତ୍ତଠାରୁ ତାହାର ଭାଗ୍ୟ ବଦଳି ଯାଇଛି। ଚକ୍ଷୁଷ୍ମାନ ହେବା ସହିତ ସମସ୍ତ ବିଦ୍ୟା ଓ ଅଶେଷ କୁଶଳର ଅଧିକାରୀ ସେ ହୋଇପାରିଛି।
ଗଳ୍ପଟି ଏବେ ମଧ୍ୟ ଛାତ୍ରୀଛାତ୍ରଙ୍କ ପାଠ୍ୟ ପୁସ୍ତକରେ ପଢ଼ାଯାଉଛି । ଅଥଚ ଅବସୋସ ଯେ, ସେଥିରୁ ମିଳୁଥିବା ଶିକ୍ଷାଟିକୁ ବର୍ତ୍ତମାନ ସମୟର ଶିକ୍ଷଣ ପଦ୍ଧତି ଅଗ୍ରାହ୍ୟ କରି ଦେଇଛି। ଶିକ୍ଷାରେ ଅନୁଶାସନ ସମ୍ପର୍କରେ ସନ୍ଥ କବୀରଙ୍କ ସୁନ୍ଦର ଦୋହାଟିଏ ଅଛି – ” ଗୁରୁ କୁହ୍ମାର ଶିଷ କୁଂଭ ହୈ, ଗଢ଼ି ଗଢ଼ି କାଢ଼େ ଖୋଟ। ଅନ୍ତର ହାଥ ସହାର ଦୈ, ବାହାର ବାହୈ ଚୋଟ।“ କୁମ୍ଭାର ଯେପରି କୁମ୍ଭ ଭିତରେ ହାତ ରଖି ତାହାକୁ ଶକ୍ତ କରିବାପାଇଁ ବାହାରେ ପ୍ରହାର କରେ ଗୁରୁ ସେହିପରି ଶିଷ୍ୟର ଦୁଷ୍ଟ ଗୁଣ ଉପରେ ପ୍ରହାରକରି ଜୀବନରେ ସନ୍ମାର୍ଗ ପ୍ରଦର୍ଶନ କରିଥାନ୍ତି। କାହିଁ କେଉଁ କାଳରୁ ପ୍ରଚଳିତ ଏହି ଅନୁଶାସନକୁ କତିପୟ ଶିକ୍ଷକଙ୍କ ନିଷ୍ଠୁର ଆଚରଣ କାରଣରୁ ଏବେ ସରକାର ଶିକ୍ଷା ଅନୁଷ୍ଠାନରେ ନିଷେଧ କରିଛନ୍ତି। ବିଦ୍ୟାଳୟର କାନ୍ଥ, ପାଚେରିରେ ଦଣ୍ଡ ମୁକ୍ତ ଅଞ୍ଚଳ, ଟୋଲ ଫ୍ରି ନମ୍ବର ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ପିଲାମାନେ ବିଦ୍ୟାଳୟ ପରିସରରେ ନିର୍ଭୟରେ ବିଚରଣ କରୁଛନ୍ତି ସତ, କିନ୍ତୁ ଶିକ୍ଷକମାନେ ସଙ୍କୁଚିତ ହୋଇଯାଇଛନ୍ତି। ଛାତ୍ରଙ୍କ ଭୁଲ୍‌ ଭ୍ରାନ୍ତିରେ ଟାଣ କରି କଥା ପଦେ କହିବାକୁ ମଧ୍ୟ ଭୟ କରୁଛନ୍ତି। କାଳେ କିଏ ମାନସିକ ନିର୍ଯାତନାର ଆଖ୍ୟା ଦେଇ ଉପର ସ୍ତରରେ ଅଭିଯୋଗ କରିଦେବ।
୨୦୦୨ରେ ଦେଶରେ ସର୍ବଶିକ୍ଷା ଲାଗୁ ହେବା ପରଠୁଁ ଶିକ୍ଷାକୁ ସହଜ ସୁଗମ କରିବାପାଇଁ ଅନେକ ଯୋଜନା ହୋଇଛି। ଏବଂ ସେବେଠାରୁ ପ୍ରାଥମିକ ଶିକ୍ଷାର ଗୁଣାତ୍ମକମାନ ହ୍ରାସ ହୋଇ ଚାଲିଛି। ୨୦୧୮ରୁ ପୁଣି ଆରମ୍ଭ ହୋଇଛି ସମଗ୍ର ଶିକ୍ଷା ଯୋଜନା। ଅଥଚ ଅଦ୍ୟାବଧି ସର୍ବେକ୍ଷଣ ବିବରଣୀରେ କୌଣସି ପରିବର୍ତ୍ତନ ଆସିନାହିଁ। ଶିକ୍ଷାଗ୍ରହଣ କାଳରେ ଅନୁଶାସନ ନ ଥିବାରୁ ପିଲାମାନଙ୍କ ଚରିତ୍ର ଗଠନ ଠିକ ହୋଇପାରୁନାହିଁ, ଏ ବିଷୟରେ କେହି ଚିନ୍ତା ବି କରୁନାହାନ୍ତି। ଫଳତଃ ଦିନକୁଦିନ ଏକ ଶୃଙ୍ଖଳାବିହୀନ, ସ୍ବେଚ୍ଛାଚାରୀ ଛାତ୍ରସମାଜ ସର୍ବତ୍ର କାୟାବିସ୍ତାର କରିଚାଲିଛି। ନୂତନ ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଅବସରରେ ଏ ବିଷୟରେ ବିତର୍କ ହେବା ଜରୁରୀ ମନେହୁଏ।

ଅଞ୍ଜନ ଚାନ୍ଦ
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ:୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri