ପିଲାଙ୍କ ପଢ଼ାରେ ମନ ଲାଗିବା ପାଇଁ ମାନନ୍ତୁ କିଛି ନିୟମ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ବାତାବରଣ ଯେତେ ସକାରାତ୍ମକ ରହିବ, ପିଲାଙ୍କର ପଢ଼ାରେ ସେତେ ଆଗ୍ରହ ବଢ଼ିବ। ସେଥିପାଇଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଥିବା କିଛିଟା ନିୟମ ମାନିଲେ ଅନେକାଂଶରେ ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଯେମିତି କି: ପିଲାଙ୍କ ଷ୍ଟଡି ରୁମ୍‌ରେ କେବେ ବି ଭୋଜନ କରିବା ଠିକ୍‌ ନୁହେଁ। ଯଦି କରୁଛନ୍ତି, ତେବେ ଖାଇ ସାରିବା ପରେ ତୁରନ୍ତ ଅଇଁଠା ବାସନକୁ ସେଠାରୁ କାଢ଼ିଦେବା ଦରକାର। ପାଠ ପଢ଼ିବା ସମୟରେ ଅଇଁଠା ବାସନ ପଡିରହିଲେ ବିଦ୍ୟାର୍ଥୀଙ୍କର ଧ୍ୟାନ ବାରମ୍ବାର ସେହି ବାସନ ଆଡ଼କୁ ଯାଇ ପଢ଼ାରେ ବାଧା ସୃଷ୍ଟି ହୋଇଥାଏ। ସେହିପରି ବିଦ୍ୟାର୍ଥୀ ଉତ୍ତର-ପୂର୍ବ କୋଣକୁ ମୁହଁ କରି ପଢ଼ିବା ଉତ୍ତମ। ଯଦି ଏହା ସମ୍ଭବ ହେଉନାହିଁ ତା’ହେଲେ ସେମାନେ ପୂର୍ବ/ ପଶ୍ଚିମ ହେଉ ଅବା ଉତ୍ତର ଦିଗକୁ ମୁହଁ କରି ପଢିପାରିବେ। କିନ୍ତୁ ଦକ୍ଷିଣ ଦିଗକୁ ମୁହଁ କରି ପଢିବା ଆଦୌ ଶୁଭ ନୁହେଁ। ଷ୍ଟଡି ରୁମ୍‌ର ପୂର୍ବ-ଉତ୍ତର ଦିଗରେ ଝରକା ଥିଲେ ଏବଂ ଏହି ରୁମ୍‌ର ଛାତ ପିରାମିଡ୍‌ ଶେପ୍‌ର ହୋଇଥିଲେ ବିଦ୍ୟାର୍ଥୀଙ୍କର ପାଠ ବହୁତ ଦିନ ଯାଏ ମନେରହିଥାଏ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷେ ଷ୍ଟଡି ରୁମ୍‌ରେ ପ୍ରଭୁ ଶ୍ରୀଗଣେଶଙ୍କର ହେଉ ଅବା ମାତା ସରସ୍ବତୀଙ୍କର ଅଥବା ନିଜ ପ୍ରିୟ ଦେବୀଦେବତାଙ୍କର ଫଟୋ ଲଗାଇଲେ ବି ପଢ଼ାରେ ଏକାଗ୍ରତା ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।