ଜୀବନ ଯୁଦ୍ଧରେ ହାରିଗଲେ FM ଛାତ୍ରୀ:AIIMS ପକ୍ଷରୁ ଘୋଷଣା

ଭୁବେଶ୍ବର,୧୫/୭: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। ମେଡିକାଲ ବୁଲେଟିନ୍ ଅନୁଯାୟୀ, ସୌମ୍ଯାଶ୍ରୀଙ୍କୁ ଗତ ୧୨ ତାରିଖ ଅପରାହ୍ଣ ୫ଟା ୧୫ରେ ଜ୍ଯୋତିରେଖା ଭୂୟାଁ ନାମ୍ନୀ ତାଙ୍କର ଜଣେ ବାନ୍ଧବୀ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ସୌମ୍ଯାଶ୍ରୀଙ୍କୁ ବାଲେଶ୍ବର ଜିଲ୍ଲା ହସପିଟାଲରୁ ଏମ୍ସକୁ ରେଫର୍ କରାଯାଇଥିଲା।

ସୂଚନାଯୋଗ୍ୟ, ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ (ଏଚ୍‌ଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ତାଙ୍କର ୧୨ ଦିନ ତଳର ଟୁଇଟ୍‌ ଏବେ ଭାଇରାଲ ହୋଇଛି, ଯାହାକୁ ନେଇ ସାରା ରାଜ୍ୟରେ କ୍ଷୋଭ ପ୍ରକାଶ ପାଇଛି। ୬ ମାସ ଧରି ଦିଆଯାଇଆସୁଥିବା ଶାରୀରିକ, ମାନସିକ ନିଯର୍ର୍ାତନା ସମ୍ପର୍କରେ ପୀଡ଼ିତା ଜୁଲାଇ ୧ରେ ନିଜ ସୋସିଆଲ ମିଡିଆ ‘X’ ହ୍ୟାଣ୍ଡଲରେ ଜଣାଇଥିଲେ। ଏହାର ପୂର୍ବ ଦିନ ଅର୍ଥାତ୍‌ ଜୁନ୍‌ ୩୦ ତାରିଖରେ ସେ ବରିଷ୍ଠ ପୋଲିସ ଅଧିକାରୀ, ଅଧ୍ୟାପକ ଏବଂ କେତେଜଣ ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ନିର୍ଯାତନା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ୧ ତାରିଖରେ ‘X’ରେ ଏନେଇ ତଥ୍ୟ ଉଲ୍ଲେଖ କରିବା ସହ କେତେଜଣ ବିଶିଷ୍ଟ ବ୍ୟକ୍ତି ଓ କର୍ତ୍ତୃପକ୍ଷଙ୍କୁ ଟ୍ୟାଗ୍‌ କରିଥିଲେ। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ (@ଡିଏଚ୍‌ଇ), ଉଚ୍ଚଶିକ୍ଷା ମନ୍ତ୍ରୀ (@ସୂର୍ଯ୍ୟବଂଶୀବିଜେପି), କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (@ଡିପ୍ରଧାନବିଜେପି), @ସିଏମ୍‌ଓ_ଓଡ଼ିଶା, @ମୋହନଏମ୍‌ଓଡ଼ିଶା, ବାଲେଶ୍ୱର ଜିଲାପାଳ (@ଡିବାଲେଶ୍ୱର), ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ (@ମାନସକୁମାରଦତ୍ତ), କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ (@ଏଡୁମିନ୍‌ଅଫ୍‌ଇଣ୍ଡିଆ) ଓ ଜାତୀୟ ମହିଳା କମିଶନ(@ଏନ୍‌ସିଡବ୍ଲ୍ୟୁଇଣ୍ଡିଆ)। ଏହିମାନଙ୍କ ପାଖରୁ ପୀଡ଼ିତା ନ୍ୟାୟ ଆଶା ରଖିଥିଲେ। କଲେଜ ଅଧ୍ୟକ୍ଷ ତାଙ୍କୁ ୪/୫ ଦିନ ସମୟ ମାଗିଥିଲେ। ହେଲେ ନା କୌଣସି କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଲେ ନା ଅଧ୍ୟକ୍ଷଙ୍କଠାରୁ ସେ ନ୍ୟାୟ ପାଇଲେ। ଶେଷରେ ହତାଶ ହୋଇ ଆତ୍ମାହୁତି ଦେବା ପାଇଁ ଚରମ ପଦକ୍ଷେପ ନେଲେ।

Share