ଭୁବନେଶ୍ୱର,୧୫।୭: ଏଫଏମ କଲେଜ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଘଟଣାରେ ଆସିଛି ବଡ଼ ଅପଡେଟ । ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାରା ରାଜ୍ୟ ଉଠୁଛି ପଡୁଛି। ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ତେବେ ଏନେଇ ଆଜି ସଂଧ୍ୟାରେ ଭୁବନେଶ୍ୱରର ଭାଜପା କାର୍ଯ୍ୟାଳୟରେ ଭାଜପାର ବଡ଼ ବୈଠକ ବସିଥିଲା। ଯେଉଁଥିରେ ସଭାପତି ମନମୋହନ ସାମଲଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ବଡ଼ ବୈଠକ ବସିଥିଲା। ଏହି ସମୟରେ ଚର୍ଚ୍ଚା ହେଉଥିଲା କି କିଛି ବଡ଼ ଖବର ସାମ୍ନାକୁ ଆସିବ।
ଏହି କ୍ରମରେ ବୈଠକ ସରିବା ପରେ ବଡ଼ ବୟାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସରକାର ସବୁ ଦିଗକୁ ନେଇ ତଥ୍ୟ ସଂଗ୍ରହ କରୁଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସମୟ ଦିଅନ୍ତୁ ଆହୁରି ତଥ୍ୟ ମିଳିବ । ଛାତ୍ରୀଙ୍କ ମୃତ୍ୟୁ ପରେ ଦଫା ପରିବର୍ତ୍ତନ କରାଯାଇଛି ।
ଘଟଣାର ସବୁ ଦିଗରୁ ନିଖୁଣ ତଦନ୍ତ ହେବ । ଦାୟୀ ଓ ଅବହେଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନ ତା’ ବାଟରେ ଯିବ, ଶେଷ ସୋପାନ ଯାଏ ପହଞ୍ଚିବ । ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାରୁ ଦଫା ପରିବର୍ତ୍ତନ ହେବ । ପୀଡ଼ିତାଙ୍କ ପରିବାରର ଦାବି ଅନୁସାରେ ତଦନ୍ତ ହେବ । ଘଟଣାର ତଦନ୍ତ ପରିସର ବଢ଼ାଯିବ, ମୁଁ ତଥ୍ୟ ସଂଗ୍ରହ କରୁଛି । ଉଚ୍ଚଶିକ୍ଷା ଓ କ୍ରାଇମବ୍ରାଞ୍ଚର ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ । ସରକାରଙ୍କ ପାଖରେ ତଦନ୍ତର ବିକଳ୍ପ ଖୋଲା ଅଛି । ସମସ୍ତଙ୍କ ଉଦ୍ଦେଶ୍ୟ ଗୋଟିଏ-ପୀଡ଼ିତାଙ୍କୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି।
ସୂ୍ଚନାଥାଉ କି, ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଘଟଣାର ସରକାରୀ ଭାବେ ସମୀକ୍ଷା କରାଯାଇଥିଲା। ରାଜସ୍ବ ମନ୍ତ୍ରୀ କହିଥିଲେ କେବଳ HOD କି ଅଧ୍ୟକ୍ଷ ନୁହନ୍ତି ଝିଅ ଆତ୍ମହତ୍ୟା କରିବା ପାଇଁ ସ୍ଥିତି ସୃଷ୍ଟି କରିଥିବା ଯେ କୌଣସି ବ୍ୟକ୍ତି ବି ତଦନ୍ତର ପରିସରରକୁ ଆସିବେ । ୧୫ ଦିନ ଧରି କିଛି ନା କିଛି ଘଟଣା ଘଟିଛି । ପ୍ରତ୍ୟେକ ଦିନ ଛାତ୍ରୀ ମାନସିକ ଯନ୍ତ୍ରଣାର ଶିକାର ହୋଇଛନ୍ତି । ତାପରେ ଯେଉଁ କଷ୍ଟ ହୋଇଛି, ତାହା ଆତ୍ମହତ୍ୟାର ରୂପ ନେଇଛି । ତେଣୁ ଏଥିପାଇଁ ବିଭିନ୍ନ ଦଫା ମଧ୍ୟ ପରିବର୍ତ୍ତନ ହେବା ଆରମ୍ଭ ହେଲାଣି । ଆତ୍ମହତ୍ୟା ପାଇଁ ଯେଉଁମାନେ ପ୍ରେରିତ କରିଥିଲେ, ସେମାନଙ୍କ ଉପରେ ମଧ୍ୟ ଦଫା ଲାଗିଛି । ମାନସିକ ଯନ୍ତ୍ରଣା ଦେବା ଉପରେ ମଧ୍ୟ ଦଫା ଲାଗିଛି । Common intention କିଏ, ଛାତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିଲା, ଏଥିରେ ଆଉ କେଉଁମାନେ ସଂପୃକ୍ତ ଥିଲେ ସେ ଦିଗକୁ ମଧ୍ୟ ତର୍ଜମା କରାଯାଉଛି ।