ବନ୍ୟା ଆଶଙ୍କା, ପ୍ରସ୍ତୁତ ରୁହ:୧୭ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୯(ସୁନିତ୍‌ ମିଶ୍ର):ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୩ ଜିଲା କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ବିଶେଷ ପ୍ରଭାବିତ ହେବା ଆଶଙ୍କା ରହିଛି। ସେହିପରି ୧୪ ଜିଲା ଯଥା- ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ଏହି ୧୭ ଜିଲାର ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସମୀକ୍ଷା ବୈଠକ କରିଛନ୍ତି। ବର୍ଷାକୁ ନଜରରେ ରଖି ଏହାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଜିଲା ଏବଂ ବ୍ଲକ୍‌ ସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟ କରିବା ଏବଂ ଏହାର ତଥ୍ୟଗୁଡିକ ଯେପରି ନିୟମିତ ଭାବେ ପ୍ରଦାନ କରାଯିବ ସେଥିପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପରିବର୍ତ୍ତିତ ପରିସ୍ଥିତି ଦେଖି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଲଘୁଚାପଜନିତ ବର୍ଷା ଏବଂ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ସହରାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏପରି ପରିସ୍ଥିତିର ମୁକାବିଲା କରିବା ପାଇଁ ଡ୍ରେନେଜ୍‌ ଇଞ୍ଜିନିୟର ଏବଂ ଅଧିକାରୀମାନଙ୍କୁ ସହାୟକ କର୍ମଚାରୀ ଏବଂ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବା ଆବଶ୍ୟକ। ଏହି ସମୟରେ ଜଳବନ୍ଦୀ ସମ୍ମୁଖୀନ ହେବା ସମ୍ଭାବନା ଥିବା ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ପକ୍ଷରୁ ଆଗୁଆ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦାୟିତ୍ୱରେ ଥିବା ଇଞ୍ଜିନିୟରିଂ କର୍ମଚାରୀମାନେ ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ତୁରନ୍ତ ସହାୟତା ପାଇଁ ଓଡ୍ରାଫ ଏବଂ ଅଗ୍ନିଶମ ସେବା ୟୁନିଟ୍‌ଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ, ବିଶେଷ କରି ତଳିଆ ଅଞ୍ଚଳ କିମ୍ବା ଯେଉଁଠାରେ ବନ୍ୟା ଆଶଙ୍କା (ଫ୍ଲାସ୍‌ ଫ୍ଲଡ୍‌) ରହିଛି ଏବଂ ଅନ୍ୟାନ୍ୟ ଆବଶ୍ୟକ ସ୍ଥାନରେ ୟୁନିଟ୍‌ଗୁଡିକୁ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ଥିବାରୁ ଉକ୍ତ ଅଞ୍ଚଳଗୁଡିକୁ ଚିହ୍ନଟକରି କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ବିଶେଷକରି ମାଲକାନଗିରି ଜିଲାରେ ଅଧିକ ସତର୍କତାମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବହୁମୁଖୀ ବନ୍ୟାବାତ୍ୟ ଆଶ୍ରୟସ୍ଥଳକୁ ବ୍ୟବହାର ପାଇଁ ପ୍ରସ୍ତୁତ ରଖାଯାଇଛି ଏବଂ ସେଥିରେ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ମଧ୍ୟ ମହଜୁଦ ରଖାଯାଇଥିବା ବୈଠକରେ ସୂଚନା ଦିଆଯାଇଛି। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ନେଇ ରନ୍ଧାଖାଦ୍ୟ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ଔଷଧ ପତ୍ର, ସାପ କାମୁଡ଼ା ଇନଞ୍ଜେକ୍ସନ, ଗୋଖାଦ୍ୟ ଓ ଅନ୍ୟାନ୍ୟ ପଶୁଖାଦ୍ୟ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ଦକ୍ଷତା ରହିଛି ଏବଂ ଜାତୀୟ ସ୍ତରରେ ରାଜ୍ୟ ପ୍ରଶଂସା ଅର୍ଜନ କରିଛି। ତେଣୁ ଏହି ଲଗାଣ ବର୍ଷାଜନିତ ସମସ୍ୟାର ଠିକ୍‌ ଭାବେ ପରିଚାଳନା ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ଏହି ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ରବିନାରାୟଣ ନାଏକ ଏବଂ ଆଭାସି ମାଧ୍ୟମରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ, ଶକ୍ତି ବିଭାଗର ପ୍ରମୁଖ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ବ୍ରହ୍ମପୁର ଡିଆଇଜି ଏବଂ ବର୍ଷା ସମ୍ଭାବନା ଥିବା ୧୭ ଜିଲାର ଜିଲାପାଳ, ଏସ୍‌ପି, ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏବଂ ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିଲେ।

 

Dharitri – Odisha’s No.1, Most Trusted Odia Daily

 

Share