ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର

ନିକଟରେ ଧ୍ରୁବ ରାଠୀ ନାମକ ଜଣେ ଯୁବକଙ୍କର ଏକ ଚର୍ଚ୍ଚିତ ଭିଡିଓ ସରକାରଙ୍କ ସମର୍ଥକଙ୍କୁ ଅସନ୍ତୁଷ୍ଟ କରିଥିଲା। ଏହାର ବ୍ୟାପକ ଯୁକ୍ତିଯୁକ୍ତତା ଭିଡିଓର ଟାଇଟଲ ‘ଭାରତ ଏକଚ୍ଛତ୍ରବାଦୀ ଶାସନରେ ପରିଣତ ହେଉଛି କି’ ରୁ ବୁଝିିହେବ। ଚଣ୍ଡିଗଡ଼ ନିର୍ବାଚନରେ ଭାଜପା ଦ୍ୱାରା କରାଯାଇଥିବା ଅନିୟମିତତାର ଦୃଷ୍ଟାନ୍ତ ଏହି ଭିଡିଓରେ ରହିଛି। ଏହା ବ୍ୟତୀତ ଭିଡିଓରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚୟନ କରିବା ପାଇଁ ପ୍ୟାନେଲର ଅନିୟମିତତା, ବିରୋଧୀ ଦଳର ନେତାଙ୍କ ବିରୋଧରେ ସରକାରୀ ସଂସ୍ଥାର ଅପବ୍ୟବହାର ଇତ୍ୟାଦି ଅନ୍ତର୍ଭୁକ୍ତ। ଅଭିଧାନରେ ଏକଚ୍ଛତ୍ରବାଦୀ ଶାସନ କହିଲେ ଗୋଟିଏ ସରକାରର ସ୍ବରୂପକୁ ବୁଝାଏ ଯେଉଁଥିରେ ଜଣେ ବ୍ୟକ୍ତି କିମ୍ବା ଏକ ଛୋଟ ଗୋଷ୍ଠୀ ପ୍ରଭାବଶାଳୀ ସାମ୍ବିଧାନିକ କଟକଣାକୁ ନ ମାନି ସମ୍ପୂର୍ଣ୍ଣ ଶକ୍ତି ଧାରଣ କରନ୍ତି। ଆଉ ମଧ୍ୟ ଅଭିଧାନରେ ବ୍ୟାଖ୍ୟା କରାଯାଇଛି ଯେ, ଏହା ଏକ ପ୍ରକାର ସରକାର ଯେଉଁଥିରେ ସମ୍ପୂର୍ଣ୍ଣ ଶକ୍ତି ଜଣେ ବ୍ୟକ୍ତି କିମ୍ବା ଏକ ଛୋଟ ଗୋଷ୍ଠୀରେ ସମାହିତ ଥାଏ। ଏବେ ଭାରତରେ ଘଟୁଥିବା ଘଟଣାଗୁଡ଼ିକ ସହ ଏହି ସଂଜ୍ଞାଗୁଡ଼ିକର ସାମଞ୍ଜସ୍ୟ ରହିଛି କି ନାହିଁ ତାହା ଦେଖିବା ପାଇଁ ମୁଁ ପାଠକମାନଙ୍କ ଉପରେ ତାହାକୁ ଛାଡ଼ିଦେବି।
ଫାସିବାଦୀ(ଫାସିଷ୍ଟ) ପରି ଏକଚ୍ଛତ୍ରବାଦୀ ଶବ୍ଦ ଅତ୍ୟଧିକ ବ୍ୟବହୃତ ହୁଏ ଏବଂ ଏହାର ପ୍ରକୃତ ଅର୍ଥ ପ୍ରକାଶ ପାଏ ନାହିଁ, କାରଣ ଏହାକୁ ଏକ ସଂଜ୍ଞା ପରିବର୍ତ୍ତେ ନିର୍ଯାତନାର ଏକ ଶବ୍ଦ ଭାବେ ଦେଖାଯାଏ। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଆମର ଏବକାରର ପ୍ରଧାନମନ୍ତ୍ରୀଙ୍କୁ ସାମାଜିକ ବିଜ୍ଞାନୀ ଆଶିଷ ନନ୍ଦୀ ସାକ୍ଷାତ କରିଥିଲେ। ସେତେବେଳେ ସେ ଏହିପରି ଲେଖିଥିଲେ- ‘ଏହା ଥିଲା ଏକ ଦୀର୍ଘ ଓ ଦ୍ୱନ୍ଦ୍ୱାମତ୍କ ସାକ୍ଷାତ୍‌କାର। କିନ୍ତୁ ଏଠାରେ ଫାସିବାଦର ଏକ ସ୍ବତନ୍ତ୍ର ଓ ପୃଥକ୍‌ ବିଷୟ ଥିଲା ବୋଲି ମୋର କୌଣସି ସନ୍ଦେହ ନ ଥିଲା। ନନ୍ଦୀ ଆହୁରି କହିଛନ୍ତି, ‘ମୋର ମନେଅଛି, ଶାନ୍ତ ଓ ସଂଯମତାର ସହ ସେ ଭାରତ ବିରୋଧୀ ଷଡ଼ଯନ୍ତ୍ରର ଏକ ମତ ରଖିଥିଲେ ଯାହା ପ୍ରତ୍ୟେକ ମୁସଲମାନକୁ ଦେଶଦ୍ରୋହୀ ତଥା ଜଣେ ସମ୍ଭାବ୍ୟ ଆତଙ୍କବାଦୀ ଭାବରେ ଚିତ୍ରଣ କରିଥିଲା। ଏକଚ୍ଛତ୍ରବାଦୀ ବିଷୟରେ ମୋ ମନରେ ଏକ କମ୍‌ ଭାବପ୍ରବଣ ଏବଂ ଅଧିକ ନିର୍ଭରଯୋଗ୍ୟ ପ୍ରଶ୍ନ ଉଠୁଛି। ତାହା ହେଉଛି ଆମେ ଏକଚ୍ଛତ୍ରବାଦ ଶାସନ ଅଧୀନରେ ଅଛୁ କି? ଏବେ, କିଛି ସୂଚକାଙ୍କ ଦେଖିବା, ଏହା ହେଉଛି କି ନାହିଁ। ପ୍ରଥମେ, ସରକାର ଭିତରେ ଥିବା ଲୋକଙ୍କର ମହତ୍ତ୍ୱାକାଂକ୍ଷା ଏବଂ ସହମତି ପାଇଁ କୌଣସି ଚିନ୍ତା ଅଛି କି? ଏହା ଜାଣିବାକୁ ଆସନ୍ତୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା, ଯେଉଁଠାରେ ଆମର ବାସ୍ତବ ପ୍ରମାଣ ଅଛି। ପ୍ରଥମଟି ହେଉଛି ୨୪ ମାର୍ଚ୍ଚ ୨୦୨୦ରେ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ। ଏହାର ଏକ ବର୍ଷ ପରେ ବିବିସି ୨୪୦ଟି ଆର୍‌ଟିଆଇ ଦାଖଲକରି ପଚାରିଥିଲା ଯେ, ସେହି ସନ୍ଧ୍ୟାରେ ଲକ୍‌ଡାଉନ ଘୋଷଣା ହେବ ବୋଲି ମୋଦି ସରକାରରେ କିଏ ଜାଣିଥିଲେ। ବିପର୍ଯ୍ୟୟ ପରିଚାଳନା କିମ୍ବା ଅର୍ଥ ମନ୍ତ୍ରଣାଳୟ କିମ୍ବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ନିଆଯାଇଥିଲା କି? ସରକାରଙ୍କ ଉତ୍ତର ଥିଲା: ‘ନା’ କାହାର ପରାମର୍ଶ ନିିଆଯାଇ ନ ଥିଲା କିମ୍ବା କାହାକୁ ସୂଚନା ଦିଆଯାଇ ନ ଥିଲା। ଦ୍ୱିତୀୟଟି ଥିଲା ବିମୁଦ୍ରୀକରଣ। ୮ ନଭେମ୍ବର ୨୦୧୬ରେ କ୍ୟାବିନେଟ୍‌ ବୈଠକ ଡକାଯାଇଥିଲା ଓ ମନ୍ତ୍ରୀମାନଙ୍କୁ ମୋବାଇଲ ଫୋନ ନ ଆଣିବା ଲାଗି କୁହାଯାଇଥିଲା। ଏଥିରୁ ବୁଝାପଡ଼ୁଛି, ନଭେମ୍ବର ୮ ସନ୍ଧ୍ୟା ପରଠାରୁ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଅଚଳ ହେବା ବିଷୟ ପ୍ରଧାନମନ୍ତ୍ରୀ ଘୋଷଣା ନ କରିବା ଯାଏ ସେମାନେ ତାହା ଜାଣି ନ ଥିଲେ। ଯେହେତୁ ମନ୍ତ୍ରୀମାନେ ଜାଣି ନ ଥିଲେ, ସେଥିପାଇଁ ମନ୍ତ୍ରଣାଳୟଗୁଡ଼ିକ ମଧ୍ୟ ଅନ୍ଧାରରେ ଥିଲେ ଏବଂ ଏହା ପାଇଁ ପ୍ରସ୍ତୁତ ବି ନ ଥିଲେ। କୌଣସି ବିଷୟରେ ସରକାରୀ କାର୍ଯ୍ୟର ସଂସଦୀୟ ଢାଞ୍ଚା କହିଲେ ଏକ ସମ୍ମିଳିତ ଦାୟିତ୍ୱବୋଧକୁ ସୂଚିତକରେ। କିନ୍ତୁ ତାହା ନୂଆ ଭାରତରେ ନାହିଁ। ଭାରତରେ ରାଷ୍ଟ୍ରମୁଖ୍ୟଙ୍କୁ ନୂତନ ସଂସଦର ଉଦ୍‌ଘାଟନ ଉତ୍ସବରେ ଯୋଗ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି କାରଣ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବାକୁ ଚାହାନ୍ତି। ସେହିଭଳି ଏବଂ ସମାନ କାରଣରୁ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା ଚାହଁିଥିବାରୁ ମନ୍ଦିରର ଉଦ୍‌ଘାଟନ କରିବାକୁ ରାଷ୍ଟ୍ରମୁଖ୍ୟଙ୍କୁ ଆସିବାକୁ କୁହାଯାଇ ନାହିଁ। ଏହା ଉପରେ ପ୍ରଶ୍ନ ଉଠିନାହିଁ, କମ୍‌ ବିରୋଧ ବି କରାଯାଇଛି; କାରଣ କେବଳ ଜଣେ ବ୍ୟକ୍ତି ଦେଶକୁ ପ୍ରତିନିଧିତ୍ୱ କରୁଥିବା ସିଦ୍ଧାନ୍ତ ଏଠାରେ ଗ୍ରହଣୀୟ ହୋଇଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ କିଭଳି ସରକାର ବିରୋଧୀଙ୍କ ପ୍ରତି ଅପବ୍ୟବହାର କରିଛନ୍ତି ଏବଂ କରୁଛନ୍ତି, ତାହା ଉପରେ ଆମକୁ ଅଧିକ ଆଲୋଚନାର ଆବଶ୍ୟକତା ନାହିଁ। ସେ ବିଷୟରେ ପ୍ରତିଦିନ ଖବର ସାମ୍ନାକୁ ଆସୁଛି। ଚଳିତ ମାସରେ ଗୁଥେନ୍‌ବର୍ଗ ୟୁନିଭର୍ସିଟିର ଭି-ଡେମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତର ଏକଚ୍ଛତ୍ରବାଦୀ ବ୍ୟବସ୍ଥା ସ୍ପଷ୍ଟ ହୋଇଛି। କେବଳ ଏହା ବୃଦ୍ଧି ପାଉନାହିଁ, ବରଂ ଅଭିବ୍ୟକ୍ତିର ସ୍ବାଧୀନତା ଅଧିକ କ୍ଷୁଣ୍ଣ ହେବା ସହ ଗଣମାଧ୍ୟମର ସ୍ବାଧୀନତାର କଣ୍ଠରୋଧ କରିଛି। ସୋସିଆଲ ମିଡିଆ ଉପରେ ଆକ୍ରମଣ , ସାମ୍ବାଦିକଙ୍କ ଉପରେ ନିର୍ଯାତନା, ସିଭିଲ ସୋସାଇଟି ଉପରେ ଆକ୍ରମଣ ଏବଂ ବିରୋଧୀଙ୍କୁ ଧମକ ଓ ଭୟ ଦେଖାଇବା ଭଳି କାର୍ଯ୍ୟ ପ୍ରକାଶ ପାଇଛି। ସମାନ ପ୍ରକାର ତଥ୍ୟ ମଧ୍ୟ ଫ୍ରିଡମ୍‌ ହାଉସ୍‌ରୁ ଆସିଛି। ଏହା ଭାରତକୁ ‘ଆଂଶିକ ସ୍ବାଧୀନ’ ର଼୍ୟାଙ୍କ୍‌ରେ ସ୍ଥାନିିତ କରିଛି। ସିଭିଲ ସୋସାଇଟି ସଙ୍ଗଠନଗୁଡ଼ିକର ବୈଶ୍ୱିକ ମେଣ୍ଟ ସିଭିସ୍‌କସ୍‌ ମଧ୍ୟ ‘ଦମନକାରୀ’ ବର୍ଗରେ ରଖିବା ସହ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ଭାରତକୁ ଏକ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବେ ବର୍ଗୀକୃତ କରିଛି। ବିଶ୍ୱର କୌଣସି ଦେଶରେ ଏପରିକି ଆମେ ବିଚାର କରୁଥିବା ଆମର ମିତ୍ର ଓ ମେଣ୍ଟ ଦେଶଗୁଡ଼ିକରେ ଏମିତି କୌଣସି ସୂଚକାଙ୍କ ନାହିଁ ଯାହା ଭାରତ ୨୦୧୪ ପରଠାରୁ ଅଧିକ ସ୍ବାଧୀନ ଏବଂ କମ୍‌ ଏକଚ୍ଛତ୍ରବାଦ ହୋଇଥିବା ନ ଦର୍ଶାଇଛି। କିନ୍ତୁ ଏହା ପାଇଁ କୌଣସି ସ୍ପଷ୍ଟ ଓ ଯୋଜନାବଦ୍ଧ ପ୍ରତିରୋଧ ପ୍ରକାଶ ପାଉନାହିଁ।