ଜି.ଉଦୟଗିରି,୨୩/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଖ୍ରୀଷ୍ଟମାସ୍ ଉତ୍ସବ ପାଳନକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଜି.ଉଦୟଗିରି ସହରରେ ପୋଲିସ ପ୍ରଶାସନ ତରଫରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ବିଭାଗ ତରଫରୁ ଆଜି ସକାଳ ୧୧ ଟା ବେଳେ ଆଇଆଇସି ବିଜୟ କୁମାର ସ୍ଵାଇଁଙ୍କ ନେତୃତ୍ଵରେ ଏସଆଇ ରୂପକ ଦଳେଇ, ଆଇଆରବି ଡେପୁଟି ସୁବେଦାର ବିନୟ ପ୍ରଧାନ,ଏଏସଆଇ ରବିନ୍ଦ୍ର ସେଠୀ, ବୁଲୁ ବେହେରାଙ୍କ ସମେତ ସଶସ୍ତ୍ର ପୋଲିସ ବାହିନୀ ଥାନାରୁ ବାହାରି ସହରରେ ଫ୍ଲାଗମାର୍ଚ୍ଚ କରିଥିଲେ । ଏହି ମାଧ୍ୟମରେ ବିଶୃଙ୍ଖଳାକାରୀଙ୍କ ଉଦ୍ଦେଶ୍ୟରେ ପୋଲିସ ପ୍ରଶାସନର ସତର୍କ ଥିବା ନେଇ ଚେତାବନୀ ଦିଆଯାଇଛି।
ବଡ଼ଦିନ ପାଳନ ନିମନ୍ତେ ଅଞ୍ଚଳବାସି ଉତ୍ସାହିତ ଥିବା ସହ ଅଞ୍ଚଳରେ ଭାଇଚାରା ସହ ଡିସେମ୍ବର ୨୫ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ପୋଲିସ ବିଭାଗ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଆଇଆଇସି ସୂଚନା ଦେଇଛନ୍ତି । ଜି.ଉଦୟଗିରି ଆଖପାଖ ଅଞ୍ଚଳରେ ମଧ୍ୟ ପୋଲିସ ତରଫରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଛି। ପୋଲିସ ବିଭାଗ ତରଫରୁ ସମସ୍ତଙ୍କୁ ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଦିଆଯିବା ସହ କୌଣସି ବିଶୃଙ୍ଖଳା କୁ ବରଦାସ୍ତ କରାଯିବ ନାହିଁ, ତା ସହ ଆମ ଅଞ୍ଚଳରେ ସେପରି କୌଣସି ସମ୍ବେଦନଶୀଳ ସ୍ଥିତି ନାହିଁ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।


