ବ୍ରହ୍ମପୁର, ୨୫।୮(ସୁବାସ ଚନ୍ଦ୍ର ପାଢ଼ୀ): ଜନୈକା ଶିଶୁଙ୍କୁ ବଳାତ୍କାର ପରେ ହତ୍ୟା ମମାଲର ତ୍ୱରିତ ରାୟ ୪ ମାସ ଭିତରେ ସ୍ବତନ୍ତ୍ର ପୋକସ ଜଜ ପ୍ରଣତି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅଭିଯୁକ୍ତ କାଳିଆ ନାହାକଙ୍କୁ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୨୫ ଏପ୍ରିଲ ୨୫ ତାରିଖରେ ୫ ବର୍ଷର ଜଣେ ଶିଶୁ କନ୍ୟା ଗାଁ’ଦାଣ୍ଡରେ ଖଳୁଥିଲେ। ହଠାତ ସେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ଗାଁ’ମୁଣ୍ଡରେ ଥିବା ଏକ ଅଙ୍ଗନବାଢ଼ି କେନ୍ଦ୍ର ବାରଣ୍ଡାରେ ଶିଶୁଙ୍କ ମୃତଦେହ ପଡ଼ିଥିଲା। ଏପରିକି ତାଙ୍କୁ ବଳାତ୍କାର କରାଯାଇଥିବା ଦେଖିବାକୁ ମିଳିଥିଲା। ପାଟପୁର ୨୨୯/୨୫ ରେ ଏକ ବଳାତ୍କାର ଓ ହତ୍ୟା ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ଉକ୍ତ ଗ୍ରାମର କାଳିଆ ନାହାକ ଏହି କାଣ୍ଡ ଘଟାଇଥିବା ଜଣାପଡିଥିଲା। ପୋଲିସ ତାଙ୍କୁ ଗିରଫ କରି କ୍ରାଇମସିନ ରିକ୍ରିଏସନ କରିଥିଲା। ଅଭିଯୁକ୍ତ ନାବାଳିକାଙ୍କ ବଳାତ୍କାର କରି ପରେ ଧରାପଡିଯିବା ଭୟରେ ହତ୍ୟା କରିଥିବା ସ୍ବୀକାର କରିଥିଲା। ଘଟଣାର ଦୁଇଦିନ ପରେ ଅଭିଯୁକ୍ତ କାଳିଆକୁ ଥାନାଧିକାରୀ ଦୀପ୍ତି ରଞ୍ଜନ ବେହେରା ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗିରଫ ପର ଠାରୁ ଅଭିଯୁକ୍ତ ବ୍ରହ୍ମପୁର ଜେଲରେ ବନ୍ଦୀ ଭାବେ ଥିଲେ। ସାକ୍ଷୀମାନଙ୍କ ବୟାନକୁ ଆଧାର କରି ଜଜ ସୋମବାର ଉକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।


