ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫ ଜଣ ଛାତ୍ରୀ ଶନିବାର ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ବନ୍ଧୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡା. ନୀହାର ରଞ୍ଜନ ଷଡ଼ଙ୍ଗୀ ଓ ଟିମ୍‌ ହଷ୍ଟେଲରେ ପହଞ୍ଚି ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।
ସୂଚନାନୁଯାୟୀ, ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ୯୯ ଅନ୍ତେବାସୀ ରହୁଛନ୍ତି। ହଷ୍ଟେଲରେ ଛାତ୍ରୀମାନେ ରାତ୍ରି ଭୋଜନ କରିବା ପରେ ଅବଶିଷ୍ଟ ଭାତକୁ ରଖାଯାଇଥିଲା। ଶନିବାର ସକାଳ ପ୍ରାୟ ୮ଟାରେ ସେହି ବାସିଭାତକୁ ସମସ୍ତ ପିଲାଙ୍କୁ ପରଷା ଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ପିଲା ଖାଇବା ଆରମ୍ଭ କରିଥିବା ବେଳେ ଜଣେ ଛାତ୍ରୀଙ୍କ ଥାଳିରୁ ଝିଟିପିଟିର ମୁଣ୍ଡ ଓ ହାଡ଼ ବାହାରିଥିଲା। ଅନ୍ୟ ଜଣେ ଛାତ୍ରୀଙ୍କ ଥାଳିରୁ ଲାଞ୍ଜ ବାହାରିଥିଲା। ୨ ଛାତ୍ରୀ ଭାତକୁ ନେଇ ଡ୍ରେନ୍‌ରେ ଫିଙ୍ଗି ଅନ୍ୟ ଛାତ୍ରୀମାନଙ୍କୁ ଖାଇବାକୁ ମନା କରିଥିଲେ।
ଭାତରେ ଝିଟିପିଟି ପଡ଼ିଥିବା ନେଇ ୱାର୍ଡେନ ଲିଲି ମହାନ୍ତିଙ୍କୁ କୁହାଯାଇଥିଲା। ସେ ହଷ୍ଟେଲରେ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ସଦାନନ୍ଦ ହାଲୱାଙ୍କୁ ଜଣାଇଥିଲେ। ପ୍ରଧାନଶିକ୍ଷକ ମେଡିକାଲ ଟିମ୍‌କୁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ଜଣାଇଥିଲେ। ଛାତ୍ରୀମାନେ ଅସୁସ୍ଥ ଅନୁଭବ କରୁଥିବାରୁ ଡାକ୍ତର ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। କିଛି ସମୟ ପରେ ଛାତ୍ରୀମାନେ ସୁସ୍ଥ ହୋଇଥିଲେ। କେତେକ ଛାତ୍ରୀ କାଛୁ କୁଣ୍ଡିଆ ଓ ଥଣ୍ଡା କାଶରେ ଆକ୍ରାନ୍ତ ଥିବାରୁ ଡାକ୍ତର ଔଷଧ ଦେଇଥିଲେ। ସମସ୍ତ ଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି।