ମାଛ ବ୍ୟବସାୟୀଙ୍କୁ ଚାପିଦେଲା ମାଛ ବୋଝେଇ କଣ୍ଟେନର, ୬ ଘଣ୍ଟା ମୃତଦେହ ରଖି

ଭୋଗରାଇ,୨୬ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଚନ୍ଦନେଶ୍ୱର- ଜଳେଶ୍ୱର ୫୭ ନଂ ରାଜ୍ୟ ରାଜପଥ କମର୍ଦ୍ଦା ବଜାର ନିକଟରେ ଗୁରୁବାର ସକାଳ ସାଢ଼େ ୮ଟାରେ ଏକ ମାଛ ବୋଝେଇ କଣ୍ଟେନର ଜଣେ ବାଇକ୍‌ ଆରୋହୀଙ୍କୁ ପଛପଟରୁ ଧକ୍କା ଦେବାରୁ ବାଇକ୍‌ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଭୋଗରାଇ ବ୍ଲକ ପଥରେଶ୍ୱର ଗ୍ରାମର ସୁଧାକର ନାୟକ ଓରଫ ବାବୁ( ୫୨)। ବାଇକ୍‌ ଆରୋହୀ ମଧ୍ୟ ଜଣେ ମାଛ ବ୍ୟବସାୟୀ ଥିଲେ। ସେ ବାଇକ୍‌ ଯୋଗେ କମର୍ଦ୍ଦା ଯାଉଥିଲେ। ଦୁର୍ଘଟଣା ଘଟାଇ ମାଛ ଗାଡ଼ିଟି ଦ୍ରୁତଗତିରେ ପଳାଇ ଯାଉଥିବାବେଳେ ଡେମୁରିଆ ନିକଟରେ ଗାଡ଼ିଟିକୁ ପୋଲିସ ଅଟକାଇ ଥିଲା। ସ୍ଥାନୀୟ ଲୋକେ ମୃତଦେହ ରଖି ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ଦାବି କରି ଚନ୍ଦନେଶ୍ୱର-ଜଳେଶ୍ୱର ରାସ୍ତା ଅବରୋଧ କରି ନାରାବାଜି ପ୍ରଦର୍ଶନ କରିଥିଲେ। ରାସ୍ତା ଅବରୋଧ ଯୋଗୁ ମୁଖ୍ୟରାସ୍ତାର ଉଭୟପଟୁ ଚାରିଚକିଆ ଯାନ ବନ୍ଦ ରହିଥିବାବେଳେ ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀମାନେ ଦୀର୍ଘ ୬ ଘଣ୍ଟା ଅଟକ ରହି ହନ୍ତସନ୍ତ ହୋଇଥିଲେ। ସ୍ଥିତି ଜଟିଳ ହେବାରୁ ଜଳେଶ୍ୱର ଏସ୍‌ଡିପିଓ ଓ ମାନସ କୁମାର ଦେଓ ସହ କମର୍ଦ୍ଦା ପୋଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିଥିବାବେଳେ ମୃତବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଗାଡ଼ିମାଲିକ ପୋଲିସ ଉପସ୍ଥିତିରେ ଦେବାରୁ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ମୃତ ବାଇକ୍‌ ଆରୋହୀଙ୍କୁ ଭୋଗରାଇ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାରେ ମାଛ ଗାଡ଼ିକୁ କମର୍ଦ୍ଦା ଥାନାକୁ ଟଣା କରାଯାଇ ଗାଡ଼ିଚାଳକଙ୍କ ବିରୋଧରେ ୧୦୨/ ୨୫ରେ ମାମଲା ରୁଜୁକରି ପୋଲିସ ପ୍ରାଥମିକ ତଦନ୍ତ ଜାରି ରଖିଥିବାବେଳେ ଗାଡ଼ିଚାଳକ ଅଟକ ଥିବାର ସୂଚନା ମିଳିଥିଲା।

Share
Tags: accident