ଫସିଗଲା ପାକିସ୍ତାନ: ପ୍ରଥମ ମ୍ୟାଚ୍‌ ବାତିଲ, ସେମିଫାଇନାଲ ଖେଳିବା ଏକପ୍ରକାର ମୁସ୍କିଲ? କିଛି ଏମିତି…  

କଲମ୍ବୋ,୨୨।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ଗ୍ରୁପ-୨ ରେ ଥିବା ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କଲମ୍ବୋର ଆର୍‌. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ଟି ବର୍ଷା ଯୋଗୁ ବାତିଲ ହୋଇଛି। କାରଣ ପ୍ରବଳ ବର୍ଷା କାରଣରୁ ମ୍ୟାଚ୍‌ର ଗୋଟିଏ ବି ବଲ ପଡ଼ିପାରି ନ ଥିଲା, ଯାହା ଫଳରେ ଉଭୟ ଦଳକୁ ୧-୧ ପଏଣ୍ଟ ମିଳିଛି। ଏହି ମ୍ୟାଚ୍‌ର ଫଳାଫଳ ନ ବାହାରିବା ପାକିସ୍ତାନ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। କାରଣ ଏହା ସେମିଫାଇନାଲ ଦୌଡ଼କୁ ଜଟିଳ କରିଦେଇଛି।
ସୁପର-୮ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୩ଟି ଲେଖାଏ ମ୍ୟାଚ ଖେଳିଥାନ୍ତି ଏବଂ ଗ୍ରୁପର ଶୀର୍ଷ-୨ ଦଳ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରନ୍ତି। ଏଣୁ ବର୍ତ୍ତମାନ ପାକିସ୍ତାନ ହାତରେ ଆଉ ମାତ୍ର ୨ଟି ମ୍ୟାଚ ରହିଛି। ୨୪ ଫେବୃଆରୀରେ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ (ପାଲେକେଲ)ରେ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ୨୮ ଫେବୃଆରୀରେ ଶ୍ରୀଲଙ୍କା ବିପକ୍ଷରେ (ପାଲେକେଲ)ଠାରେ ମ୍ୟାଚ୍‌ ଖେଳିବ।
ସେମିଫାଇନାଲ ଯିବାର ସମୀକରଣ:
୧. ସିଧାସଳଖ ଯୋଗ୍ୟତା:ଯଦି ପାକିସ୍ତାନ ଅନ୍ୟ କୌଣସି ଦଳ ଉପରେ ନିର୍ଭର ନ କରି ସେମିଫାଇନାଲକୁ ଯିବାକୁ ଚାହୁଁଛି, ତେବେ ତାକୁ ବାକି ଥିବା ଉଭୟ ମ୍ୟାଚ୍‌ ଜିତିବାକୁ ହେବ। ଏହାଦ୍ୱାରା ପାକିସ୍ତାନର ମୋଟ ପଏଣ୍ଟ ୫ ହେବ, ଯାହା ସେମିଫାଇନାଲ ଟିକେଟ ପାଇଁ ଯଥେଷ୍ଟ।
୨. ୩ ପଏଣ୍ଟର ଅଡ଼ୁଆ:ଯଦି ପାକିସ୍ତାନ ଗୋଟିଏ ମ୍ୟାଚ ଜିତେ ଏବଂ ଗୋଟିଏ ହାରେ, ତେବେ ତା’ର ପଏଣ୍ଟ ୩ ହୋଇଯିବ। ଏଭଳି ପରିସ୍ଥିତିରେ ପାକିସ୍ତାନକୁ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ। ଯଦି ନ୍ୟୁଜିଲାଣ୍ଡ ମଧ୍ୟ ନିଜର ବାକି ୨ଟି ମ୍ୟାଚ୍‌ରୁ ଗୋଟିଏ ଜିତେ, ତେବେ ତା’ର ମଧ୍ୟ ୩ ପଏଣ୍ଟ ହେବ ଏବଂ ଶେଷରେ ନେଟ ରନ ରେଟ (NRR) ଆଧାରରେ ନିଷ୍ପତ୍ତି ନିଆଯିବ।
ମୋଟାମୋଟି ଭାବେ କହିବାକୁ ଗଲେ ପାକିସ୍ତାନ ପାଇଁ ବର୍ତ୍ତମାନ ପ୍ରତ୍ୟେକ ମ୍ୟାଚ ’କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos

Dharitri – Odisha’s No.1 Odia Daily

Share