ଦାରିଙ୍ଗବାଡି,୨୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ସଭାଗୃହ ମଧ୍ୟରେ ଶୁକ୍ରବାର ଅପରାହ୍ନରେ ବିଭିନ୍ନ ପ୍ରକାର ନିଆଁକୁ ଆୟତ୍ତ ଓ ନିରାପତ୍ତା ତାଲିମ ପ୍ରଦାନ କରାଯାଇଥିଲା ଏଥିରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ତାଲିମ ପ୍ରଦାନ କରାଯାଇଥିଲା। ବ୍ଲକ ଅଞ୍ଚଳରେ ବିଭିନ୍ନ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି। ତାଲିମ ପାଇବା ପରେ ନିଜ ବିଦ୍ୟାଳୟରେ ସେମାନେ ଛାତ୍ରୀଛାତ୍ରଙ୍କୁ ଅଗ୍ନି ନିରାପତ୍ତା ଓ ବିଭିନ୍ନ ପ୍ରକାର ନିଆଁକୁ କିଭଳି ଆୟତ୍ତ କରାଯିବ ଓ ନିଜକୁ ଓ ଅନ୍ୟଙ୍କୁ କିଭଳି ସୁରକ୍ଷିତ ରଖାଯିବ ନିଆଁ ଲାଗିବାର କାରଣ ଓ ନିରାକରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଯାଇଥିଲା । ବିଶେଷ କରି ଅଙ୍ଗାର ଜାତୀୟ ନିଆଁ ଲାଗିବା ସହ ତୈଳ ଜାତୀୟ, ଧାତୁ ଜାତୀୟ ଏବଂ
ବୈଦ୍ୟୁତିକ ନିଆଁ ଆଦିରୁ କିଭଳି ସୁରକ୍ଷିତ ରହିବ ଓ ନିଆଁ ଲାଗିବା ପୂର୍ବରୁ କଣ ସବୁ ସତର୍କତା ନିଆଯିବା ଆବଶ୍ୟକ ସେନେଇ କୁହାଯାଇଥିଲା। ଏହି ତାଲିମ ଶିବିରରେ ଏବିଇଓ ତଥା ବିଆରସିସି ଗୋକୁଳାନନ୍ଦ ନାୟକଙ୍କ ନେତୃତ୍ୱରେ ବ୍ରାହ୍ମଣୀଗାଁ, ଦାରିଙ୍ଗବାଡି, କିରିକୁଟି, ସିଆଙ୍ଗବାଲି, ଭ୍ରମରବାଡି, ଦାସିଙ୍ଗବାଡି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, ବାଡାବାଙ୍ଗା ଆଦି ପଞ୍ଚାୟତ ଅଞ୍ଚଳର ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକ ମାନେ ତାଲିମ ନେଇଥିଲେ।


