ଗନ୍ଧମାର୍ଦ୍ଦନ ଜଙ୍ଗଲରେ ନିଆଁ

ପାଇକମାଳ,୨୫ା୩(ବଡ଼ ଶତପଥୀ): ବରଗଡ଼ ଜିଲାର ନୃସିଂହନାଥ ଓ ବଲାଙ୍ଗୀର ଜିଲାର ହରିଶଙ୍କର ଅଞ୍ଚଳକୁ ଘେରି ରହିଥିବା ଭାରତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗତ ରବିବାରରୁ ନିଅଁା ଲାଗିଛି।
ପଦ୍ମପୁରରୁ ଲଖନା ୯୭ କିଲୋମିଟର ବ୍ୟାପି ଏହି ଗନ୍ଧମାର୍ଦ୍ଦନ ପର୍ବତରେ ପ୍ରାୟ ୪୦୦ ପ୍ରକାରର ଔଷଧୀୟ ବୃକ୍ଷଲତା ରହିଛି। ଏଥିସହ ଅନେକ ପ୍ରଜାତିର ପଶୁ, ପକ୍ଷୀ, ସରୀସୃପ ଅଛନ୍ତି। ଏହି ପର୍ବତକୁ ୮୦ ଦଶକରେ ଭାରତ ଆଲୁମିନିୟମ କମ୍ପାନୀ ନାମକ ବକ୍ସାଇଟ ଖନନ ପାଇଁ ୧୦୦ ବର୍ଷର ଲିଜ୍‌ ପାଇ ଉଦ୍ୟମ ଆରମ୍ଭ କରିଥିବା ବେଳେ ସୂତ୍ରପାତ ହୋଇଥିଲା ‘ଗନ୍ଧମାର୍ଦ୍ଦନ ବଞ୍ଚାଅ- ବାଲ୍‌କୋ ହଟାଓ’ ଜନ ଆନ୍ଦୋଳନ। ଏହି ପର୍ବତମାଳାରୁ ଉପାର୍ଜିତ ଲଘୁ ବନଜାତ ଦ୍ରବ୍ୟ ଚାର, କେନ୍ଦୁ, ମହୁଲ, ଟୋଲ ଆଦି ସଂଗ୍ରହ କରି ପ୍ରାୟତଃ ୫୦ ହଜାର ଆଦିବାସୀ ଜନଜାତି ଜୀବିକା ନିର୍ବାହ କରୁଥିବା ବେଳେ ପର୍ବତରୁ ନିର୍ଗତ ୨୨ଟି ଚିରସ୍ରୋତା ଝରଣାର ପାଣିରୁ ହୋଇଥିବା ଫସଲକୁ ମରୁଡ଼ି ଦାଉରୁ ଚାଷୀ ରକ୍ଷା କରିଥାଏ। ଏହି ପର୍ବତମାଳା ସୁରକ୍ଷା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ବ୍ୟାପକ କର୍ମଚାରୀ ନିଯୁକ୍ତ ଥିବାବେଳେ ପ୍ରତିବର୍ଷ ଗ୍ରୀଷ୍ମଋତୁରେ ନିଆଁର ତାଣ୍ଡବ ଦେଖିବାକୁ ମିଳିଥାଏ।
ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରି ଜଙ୍ଗଲ ବିଭାଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଥିବା ସତ୍ତ୍ବେ ନିଆଁ କିପରି ଜଙ୍ଗଲରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚନା ହେଉଛି। ଏ ନେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କୁ ପଚାରିବାରୁ ନୃସିଂହନାଥ ଅଞ୍ଚଳରେ ପ୍ରତିବର୍ଷ ପ୍ରଥମେ ନିଆଁ ଲାଗୁ ଥିବାର ଦେଖାଯାଉଛି। ପର୍ବତ ଉପରକୁ ଚଢୁଥିବା ଯାତ୍ରୀ ହେଉ କି ମହୁଲ ଫୁଲ ଗୋଟାଇବା ପାଇଁ ହେଉ ସେମାନେ ନିଆଁ ଲଗାଉ ଥିବାର ସନ୍ଦେହ ହେଉଛି। ତେବେ ବନ ବିଭାଗ କର୍ମଚାରୀମାନେ ନିଆଁ ଲାଗିଲା ମାତ୍ରେ ତାକୁ ଲିଭାଇବାକୁ ଉଦ୍ୟମ କଲେ ଏତେ କ୍ଷୟକ୍ଷତି ହୁଅନ୍ତା ନାହିଁ ବୋଲି ପୁଟା କହିଛନ୍ତି। ଏଥିସହିତ କାଠୁରିଆମାନେ ଜଙ୍ଗଲକୁ ଯାଇ ଜୀଅନ୍ତା ଗଛକୁ କାଟି ଦେଉଛନ୍ତି ଓ ଦୁଇ ତିନିଦିନ ପରେ ଯାଇ ସେହି ଗଛକୁ ଛୋଟ ଛୋଟ କରି ଟାଙ୍ଗିଆରେ କାଟି ବିଡ଼ା ବାନ୍ଧି ଗାଁ ଗାଁରେ ବିକ୍ରୟ କରୁଛନ୍ତି। ଏହି କାଠୁରିଆମାନେ ଜଙ୍ଗଲ ନଷ୍ଟ କରୁଥିବା ସହ ଜଙ୍ଗଲରେ ନିଆଁ ଜାଳି ରୋଷେଇ କରୁଥିବାରୁ ଏହି ରୋଷେଇ ନିଆଁ ମଧ୍ୟ ବ୍ୟାପିଯାଇ ଜଙ୍ଗଲକୁ ନଷ୍ଟ କରୁଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share