କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍ରେ ହଠାତ ନିଆଁ ଲାଗିଯିବା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ୩୩ ମିନିଟରେ ବସ୍ଟିି କୋରାପୁଟ ବସଷ୍ଟାଣ୍ଡରେ ରହିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଅନୁଯାୟୀ, ଓଏସଆରଟିସି ବସ୍ଟି ବାଲିମେଳାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ବସ୍ରେ ସର୍ଟ ସର୍କିଟ (Short Circuit) ଯୋଗୁ ଏହି ନିଆଁ ଲାଗିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ହଠାତ ସେଥିରୁ ଧୂଆଁ ବାହାରି ନିଆଁ ଲାଗିଯିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ଯାତ୍ରୀମାନେ ବସ୍ର ଗେଟ ଏବଂ ଝରକା ଦେଇ ବାହାରକୁ ଡେଇଁ ପଡ଼ୁଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଘଟଣା ପରେ ସଙ୍ଗେ ସଙ୍ଗେ ବସ୍ର ମରାମତି କାର୍ଯ୍ୟ କରାଯାଇଥିଲା। ଦୀର୍ଘ ଅଧା ଘଣ୍ଟା ଧରି ଯାଞ୍ଚ ଓ ମରାମତି ପରେ ବସ୍ଟି ପୁଣିଥରେ ନିଜ ଗନ୍ତବ୍ୟ ସ୍ଥଳ ଅର୍ଥାତ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଥିଲା।
Dharitri – Odisha’s No.1 Odia Daily