ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭ ଦୋକାନରେ ନିଆଁ ଲାଗି ଯିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତିି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।
ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଏହି ନିଆଁ ଲାଗି ଯାଇଥିଲା। ତେବେ କେମିତି ଲାଗିଲା ନିଆଁ ତାହା ସ୍ପଷ୍ଟ ହୋଇ ପାରିନାହିଁ। ରାତି ଅଧରେ ନିଆ ଲାଗିଯିବାରୁ ଏହାକୁ ଆୟତ୍ତ କରିବା ସମ୍ଭବ ହୋଇ ପାରି ନଥିଲା। ଯାହା ଫଳରେ ଏହି ମାର୍କେଟରେ ଥିବା ଲସି ଦୋକାନ , ମିଠା ଦୋକାନ, ସାଇକେଲ ମରାମତି ଦୋକାନ, ଚା ଦୋକାନ, ଛୋଟ ଭେରାଇଟି ଷ୍ଟୋର, ଚପଲ ଦୋକାନ, ଗଦି ଓ ସୋଫା ଦୋକାନରେ ନିଆଁ ଲାଗି ଯାଇଥିଲା। ଲସି ଦୋକାନରେ ତିନି ଜଣ ଶୋଇଥିବା ବେଳେ ଏହି ନିଆଁ ଲାଗିଯାଇଥିଲା। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ବରୁହାଁ ଏବଂ କୁଆଖିଆ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ନିଆଁତ୍ରେ ସବୁ ପୋଡ଼ି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି।

