କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଛି। SCB ଆଗରେ କାନ୍ଦବୋବାଳି ପଡ଼ିଛି। ରୋଗୀଙ୍କୁ ଖୋଜୁଛନ୍ତି ସେମାନଙ୍କ ସମ୍ପର୍କୀୟ। ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ମୋ ବାପା ଆଇସିୟୁରେ ଥିଲେ, ରାତିରେ ହସ୍ପିଟାଲରେ ନିଆଁ ଲାଗିଗଲା ପରେ ମୋ ବାପାଙ୍କୁ ମୁଁ ଆଉ ପାଉ ନାହିଁ। ମୋ ବାପା କେମିତି ଅଛନ୍ତି, କେହି କିଛି କହୁ ନାହାନ୍ତି। ଅନ୍ୟ ଜଣେ ରୋଗୀଙ୍କ ବୃଦ୍ଧ ବାପା ଭୋ ଭୋ ହୋଇ କାନ୍ଦି କହିଛନ୍ତି, ମୋ ପୁଅ ଆଇସିୟୁରେ ଥିଲା। ସେ ବଞ୍ଚିଛି କି ମରିଛି ମୁଁ ଜାଣିନାହିଁ। ମୁଁ ତାକୁ ସବୁଆଡେ ଖୋଜିଲିଣି, ହେଲେ ମୁଁ ତାକୁ ପାଉନାହିଁ। ସେହିପରି ଜଣେ ମହିଳା କହିଛନ୍ତି, ମା ଛୁଆ ଦେହରୁ ଛୁଞ୍ଚି କାଢ଼ିଦେଲେ..ମୋ ଛୁଆ ଉପରେ ଅଛି ତାକୁ କେହି ଆଣିନାହାନ୍ତି। ମୋ ଛୁଆ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି।
SCB ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିବା ସହ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ। ମେଡିକାଲ ବୁଲି ଦେଖିବା ପରେ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।