ମିଟର ଖରାପଅଛି କହି ପକାଇଥିଲେ ଫାଇନ୍‌ : ରାଗିଗଲେ ଗ୍ରାମବାସୀ, ବିଦ୍ୟୁତ୍‌ ଭିଜିଲାନ୍ସ ଟିମ୍‌ ଅଧିକାରୀଙ୍କ ସମେତ ୫ଙ୍କୁ ରଖିଲେ ଅଟକ

ଦିଗପହଣ୍ଡି,୧୩ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ସାହାସପୁର ଗ୍ରାମରେ ବିଦ୍ୟୁତ୍‌ ଭିଜିଲାନ୍ସ ବିଭାଗ ଅଧିକାରୀମାନଙ୍କୁ ସୋମବାର ଗ୍ରାମବାସୀ ଅଟକ ରଖିଥିଲେ। ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ସୂଚନା ପ୍ରକାରେ ପୂର୍ବରୁ ବିଦ୍ୟୁତ୍‌ ଭିଜିଲାନ୍ସ ବିଭାଗ ପକ୍ଷରୁ ବାରମ୍ବାର ଗ୍ରାମକୁ ଆସି ସାଧାରଣ ଗରିବ ଲୋକଙ୍କ ଘରେ ପଶି ମିଟର ଖରାପ ଅଛି କହି ଗ୍ରାମର ୮ ଜଣଙ୍କୁ ୧୫ ହଜାରରୁ ୨୦ ହଜାର ଟଙ୍କା ଲେଖାଏ ଜରିମାନା ପକାଇ ନୋଟିସ ଦେଇଥିଲେ। ସୋମବାର ପୁଣି ଥରେ ଏକ ବୋଲେରୋ ଗାଡ଼ିରେ ୭ ଜଣ ବିଭାଗୀୟ କର୍ମଚାରୀ ସାହାସପୁର ବଡ଼ସାହିରେ ପହଞ୍ଚି କେତେ ଜଣ ବ୍ୟକ୍ତିଙ୍କ ଘରେ ପଶି ଭିଡିଓ ଉତ୍ତୋଳନ କରିବା ସହ ବିଦ୍ୟୁତ୍‌ ମିଟର ଖରାପ ଅଛି କହି ଏହାର ସିଲ୍‌ ଭାଙ୍ଗିଥିଲେ। ଏହି ଖବର ପ୍ରଚାର ହେବାପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବିଦ୍ୟୁତ୍‌ ଭିଜିଲାନ୍ସ ଟିମ୍‌କୁ ଘେରି ଗ୍ରାମ ମଣ୍ଡପରେ ଅଟକ ରଖିଥିଲେ। ଟିପିଏସ୍‌ଓଡିଏଲ୍‌ ଏବେ ସାଧାରଣ ଗରିବ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ବିଦ୍ୟୁତ୍‌ ମିଟର ଖରାପ ଅଛି କହି ଗ୍ରାମର ୭ ଜଣଙ୍କୁ ପୂର୍ବରୁ ଜରିମନା ପକାଯାଇଛି। ସମ୍ପୃକ୍ତ ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କଠାରୁ ଜରିମାନା ଅସୁଲ ନ କରିବା ପାଇଁ ପ୍ରତିଶ୍ରୁତି ଦେଲେ ଅଟକ କର୍ମଚାରୀଙ୍କୁ ଛାଡ଼ିବେ ବୋଲି ଗ୍ରାମବାସୀ ଅଡି ବସିଥିଲେ। ପାଟପୁର ଥାନା ଏସ୍‌ଆଇ ଶ୍ରୀନିବାସ ଦାସ, ସରପଞ୍ଚ ସୁଶାନ୍ତ ସେଠୀ, ସମିତି ସଭ୍ୟ ପ୍ରତିନିଧି କୈଳାସ ପାତ୍ର ପ୍ରମୁଖ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ବିଦ୍ୟୁତ୍‌ ଭିଜିଲାନ୍ସ ଟିମ୍‌ ଗ୍ରାମବାସୀଙ୍କୁ ଲିଖିତ ଭାବେ ନିଜର ଭୁଲ ସ୍ବୀକାର କରି ଜରିମନା ଆଦାୟ କରାଯିବ ନାହିଁ ବୋଲି ଦେଇଥିଲେ। ଚଢାଉ ଧରପଗଡ ପୂର୍ବରୁ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଏବଂ ଗ୍ରାମର ମୁଖିଆଙ୍କ ଅନୁମତି ନିଆଯିବ ବୋଲି କହିବା ପରେ ଗ୍ରାମବାସୀ ଅଟକ ରଖିଥିବା କର୍ମଚାରୀ ସ୍ମୃତି ରଞ୍ଜନ ନାୟକ, ସୁନିଲ ରଥ, ରାଜ ମୋହନ ବିଷୋୟୀ, ଲକିପ୍ରିୟା ମହାରଣା, ନନ୍ଦ ସାହୁ ପ୍ରମୁଖଙ୍କୁ ପୋଲିସ ଉପସ୍ଥିତିରେ ଛାଡିଥିଲେ। ଏନେଇ ପାଟପୁର ବିଦ୍ୟୁତ୍‌ ସେକ୍ସନ ସହକାରୀ ଯନ୍ତ୍ରୀ ଇଂ.ଦିଲ୍ଲୀପ ବଳିଆରସିଂଙ୍କୁ ପଚାରିବାରୁ ସେ କହିଲେ ଯେଉଁ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ମିଟର ଖରାପ ଥିବ ନୂଆ ମିଟର ସଂଯୋଗ ପାଇଁ ବିଭାଗ ପକ୍ଷରୁ ସେମାନଙ୍କୁ ନିୟୋଜିତ କରାଯାଇଛି। ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

Share