ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ବରଗଡ଼ ସହରରେ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରକୃତିପ୍ରେମ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଗାନ୍ଧିଛକ ନିକଟ କଲ୍ୟାଣ ମଣ୍ଡପରେ ଏକ ପ୍ରଦର୍ଶନୀ ହୋଇଥିଲା। ଏହି ପ୍ରଦର୍ଶନୀରେ ଅଦରକାରୀ କାଠ ତଥା ସଂଗୃହୀତ ବର୍ଜ୍ୟବସ୍ତୁରୁ ନିର୍ମିତ ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରଦର୍ଶିତ ହୋଇଥିଲା। ଏଥିରେ ବିଭିନ୍ନ ପଶୁପକ୍ଷୀ, ସୌଖୀନ ସାମଗ୍ରୀ ଆଦି ରହିଥିଲା। ପ୍ରକୃତିପ୍ରେମ ଅନୁଷ୍ଠାନର ମୁ୍ଯଯ ତଥା ବିରଳ ସାମଗ୍ରୀ ସଂଗ୍ରାହକ ଡଃ ସତ୍ୟକେତନ ମହାନ୍ତିଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟଅତିଥିଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ, ପୂର୍ବତନ ଲୋକସଭା ସାଂସଦ ଡଃ ପ୍ରଭାସ କୁମାର ସିଂ ପ୍ରମୁଖ ଅତିଥିଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦର୍ଶନୀ ବୁଲି ଦେଖିବା ସହିତ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ। ସହରର ବିଭିନ୍ନ ଅନୁଷ୍ଠାନର ସଦସ୍ୟା, ସ୍କୁଲ, କଲେଜର ଛାତ୍ରୀଛାତ୍ର ପ୍ରଦର୍ଶନୀ ଦେଖିବାକୁ ଆସିଥିଲେ।

