ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ ଘୋଷଣା ହେଉଥିବା ବେଳେ ଅନ୍ୟ ବୃଦ୍ଧି ଦୀପାବଳି ପାଖାପାଖି ଘୋଷଣା କରାଯାଏ। ଲେବର ବ୍ୟୁରୋ ପକ୍ଷରୁ ଜୁନ ୨୦୨୬ର ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (AICPI) ତଥ୍ୟ ପ୍ରକାଶ ପାଇବାର ପ୍ରାୟ ଏକ ମାସ ବିତିଗଲାଣି। ଏହି ତଥ୍ୟ ଆଧାରରେ DA ବୃଦ୍ଧିର ହାର ନିର୍ଦ୍ଧାରଣ କରାଯାଏ।
ଏଥର କେନ୍ଦ୍ର କର୍ମଚାରୀଙ୍କ DAରେ ୩ ପ୍ରତିଶତ ବୃଦ୍ଧି ହେବାର ଅନୁମାନ କରାଯାଉଛି। ଏହା ହେଲେ କେନ୍ଦ୍ର କର୍ମଚାରୀଙ୍କ ମୂଳ ବେତନର ୬୩ ପ୍ରତିଶତରେ DA ପହଞ୍ଚିପାରେ। କନଫେଡେରେଶନ ଅଫ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲଏଜ ଆଣ୍ଡ ୱର୍କର୍ସ (CCGEW)ର ସାଧାରଣ ସମ୍ପାଦକ ଏମ.ଏସ. ଭେଙ୍କଟେସନ ଗତ ସପ୍ତାହରେ ଅର୍ଥ ମନ୍ତ୍ରାଳୟକୁ ଚିଠି ଲେଖି DA ଘୋଷଣା ପ୍ରକ୍ରିୟା ଆରମ୍ଭ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ଅଲ ଇଣ୍ଡିଆ ନ୍ୟୁ ପେନସନ ସ୍କିମ ଏମ୍ପ୍ଲଏଜ ଫେଡେରେଶନର ସଭାପତି ମଞ୍ଜିତ ସିଂହ ପଟେଲ କହିଛନ୍ତି ଯେ, ଏକ ସପ୍ତାହ ମଧ୍ୟରେ DA ବୃଦ୍ଧିର ଘୋଷଣା ହୋଇପାରେ।
ସେହିପରି ଅଲ ଇଣ୍ଡିଆ ଡିଫେନ୍ସ ଏମ୍ପ୍ଲଏଜ ଫେଡେରେଶନର ଜଣେ ସୂତ୍ରଙ୍କ ଅନୁସାରେ, ଚଳିତ ସପ୍ତାହରେ ଯେକୌଣସି ସମୟରେ DA ବୃଦ୍ଧି ଘୋଷଣା ହୋଇପାରେ, କାରଣ ଏହାର ଫାଇଲ ପ୍ରକ୍ରିୟାରେ ରହିଛି। CCGEWର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ କହିଛନ୍ତି ଯେ, ଅକ୍ଟୋବର ପ୍ରଥମ ସପ୍ତାହରେ DA ବୃଦ୍ଧି ଘୋଷଣା ହୋଇପାରେ।
ଏହା ପୂର୍ବରୁ କେନ୍ଦ୍ରୀୟ କ୍ୟାବିନେଟ ଏପ୍ରିଲ ୧୮ ତାରିଖରେ DAରେ ୨ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଥିଲା। ଏହା ପରେ କେନ୍ଦ୍ର କର୍ମଚାରୀଙ୍କ DA ୫୮ ପ୍ରତିଶତରୁ ବଢ଼ି ୬୦ ପ୍ରତିଶତ ହୋଇଥିଲା।
ସାଧାରଣତଃ ସରକାର ଦଶହରା ଭଳି ପର୍ବପର୍ବାଣୀ ପୂର୍ବରୁ DA ବୃଦ୍ଧି ଘୋଷଣା କରିଥାଏ। ତେବେ ଏହା କୌଣସି ନିର୍ଦ୍ଧାରିତ ନିୟମ ନୁହେଁ। କାରଣ ଗତ ଦୁଇଥର DA ବୃଦ୍ଧିର ଘୋଷଣା ଦଶହରା ପରେ ହୋଇଥିଲା। ଗତବର୍ଷ ଦଶହରା ଅକ୍ଟୋବର ୨ ତାରିଖରେ ପଡ଼ିଥିଲା ଏବଂ DA ବୃଦ୍ଧିର ଘୋଷଣା ଅକ୍ଟୋବର ୬ ତାରିଖରେ ହୋଇଥିଲା। ସେହିପରି ୨୦୨୪ରେ ଦଶହରା ଅକ୍ଟୋବର ୧୨ ତାରିଖରେ ଥିବାବେଳେ DA ବୃଦ୍ଧିର ଘୋଷଣା ଅକ୍ଟୋବର ୨୧ ତାରିଖରେ ହୋଇଥିଲା। ଚଳିତ ବର୍ଷ ଦଶହରା ଅକ୍ଟୋବର ୨୦ ତାରିଖରେ ପାଳନ କରାଯିବ। ତେଣୁ କେନ୍ଦ୍ର କର୍ମଚାରୀଙ୍କ ଆଗାମୀ DA ବୃଦ୍ଧି ଘୋଷଣାକୁ ନେଇ ଏବେ ଅପେକ୍ଷା ବଢ଼ିଛି।

