ସୁବର୍ଣ୍ଣପୁର,୧୪।୮: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିକଲପାଲି ଗାଁରେ ଗୁରୁବବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫାଇଲେରିଆ ଔଷଧ ଖାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଙ୍ଗନଓ୍ବାଡି ଏବଂ ଆଶା ଦିଦି ବାଣ୍ଟିଥିବା ଔଷଧ ଖାଇ ଯୁବକ ଜଣକ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କୁ ମୃତ୍ୟୁ ଘଟିଛି।
ମେଡିସିନ ନ ଖାଇଲେ ଆଧାର, ସୁଭଦ୍ରା, ରାଶନ କାର୍ଡ କଟିଯିବା ନେଇ ଅଙ୍ଗନଓ୍ବାଡି ଏବଂ ଆଶା ଦିଦି ଧମକ ଦେଇଥିବା ନେଇ ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି। ପରେ ଫାଇଲେରିଆ ଔଷଧ ଖାଇ ଯୁବକ ଜଣକ ଗୁରୁତର ହୋଇପଡିଥିଲେ। ପ୍ରଥମେ ତାଙ୍କୁ ସୁବର୍ଣ୍ଣପୁର ଏବଂ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷେ ପରିବାର ଲୋକଙ୍କ ସହ ଗ୍ରାମବାସୀ କ୍ଷତିପୂରଣ ଦାବି କରି କାନପୁର ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଏନେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିବା ସୂଚନା ମିଳିଛି।


