ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି କ୍ଷେତ୍ର ପରିଦର୍ଶନ ଅଧିକାରୀ, ନିମ୍ନମାନର କାର୍ଯ୍ୟ ନେଇ…

ମହାକାଳପଡ଼ା,୧୪ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତ ବଗଗହଣ- ମିଲନମୋଡ଼-ତରପଦା ଗୋବରୀ ନଦୀପାର୍ଶ୍ୱ ଘେରିବନ୍ଧ ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ସୁଉଚ୍ଚ ମାଟିବନ୍ଧ ଓ ପାର୍ଶ୍ୱରେ ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ କ୍ଷେତ୍ର ପରିଦର୍ଶନ ଅଧିକାରୀ ଆସୁନାହାନ୍ତି। ଦାୟିତ୍ୱରେ ଥିବା ଠିକାଦାରଙ୍କ ସୁପରଭାଇଜର ମନଇଚ୍ଛାରେ ନିର୍ମାଣ କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ, ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି।
ରାଜ୍ୟ ସରକାରଙ୍କ ନଦୀ ତଟବନ୍ଧ (ଜଳସେଚନ) ବିଭାଗ ପକ୍ଷରୁ ନଦୀକୂଳରେ ଅବସ୍ଥିତ ଗାଁଗୁଡ଼ିକୁ ସାମୁଦ୍ରିକ ଜୁଆର ପାଣିରୁ ସୁରକ୍ଷା ଦେବା ପାଇଁ ସୁଉଚ୍ଚ ମାଟି ବନ୍ଧରେ ପଥର ପ୍ୟାକିଂ ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରାୟତଃ ୧୦ କିମି ବନ୍ଧ ନିର୍ମାଣ କାର୍ଯ୍ୟ ପାଇଁ ସରକାରୀ ତହବିଲରୁ ବହୁ କୋଟି ବ୍ୟୟ ହେଉଛି। ହେଲେ ନିର୍ମାଣ ବନ୍ଧର ପାର୍ଶ୍ୱରୁ ପଙ୍କ କାଦୁଅ ମେଶିନରେ ଉଠାଇ ତା’ ଉପରେ ପଥର ପ୍ୟାକିଂ କରାଯାଉଥିବା ଦେଖିବକୁ ମିଳିଛି। ସୂଚନା ଅନୁସାରେ ନଦୀବନ୍ଧ ନିର୍ମାଣରେ ଉଚ୍ଚତା କମ୍‌ କରାଯାଉଥିବାବେଳେ ଡମ୍ପିଂ ଓ ପଞ୍ଚତ୍ଂରେ ଛୋଟ ଛୋଟ ପଥର ବ୍ୟବହାର କରାଯାଉଛି। ଫଳରେ ବର୍ଷା ଓ ସାମୁଦ୍ରିକ ଜୁଆର ମାଡ଼ରେ ଏହା ଭୁଶୁଡ଼ିବା ଆଶଙ୍କା ରହିଛି। ଏହି ନିମ୍ନମାନର ବନ୍ଧ ନିର୍ମାଣରେ କାର୍ଯ୍ୟ ଓ ସ୍ଥାୟିତ୍ୱକୁ ନେଇ ବୁଦ୍ଧିଜୀବୀ ନରୋତ୍ତମ ପାର୍ଥ ସାରଥି ଓ କୃଷକ ନେତା ଅଙ୍କୁର ପଲାଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲା ଆଳି ନଦୀ ତଟବନ୍ଧ ଡିଭିଜନ ବିଭାଗ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାର ସାହୁଙ୍କୁ ପଚାରିବାରେ ଉକ୍ତ ନିର୍ମାଣ କାର୍ଯ୍ୟ ଉପରେ ତଦାରଖ କରାଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share