ଦିଗପହଣ୍ଡି,୧୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଗଣପର୍ବ ଭାବେ ବିବେଚିତ ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ୫୩ ତମ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ଶନିବାର ଆଶ୍ୱିନ ସପ୍ତମୀ ତିଥିର ବିଳମ୍ବିତ ରାତିରୁ ଶୁଭାରମ୍ଭ ହୋଇଛି। ଯାତ୍ରା ପାଇଁ ସମଗ୍ର ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ବାହାରେ ରହୁଥିବା ଅନେକ ଶ୍ରଦ୍ଧାଳୁ ନିଜ ନିଜ ଘରକୁ ଫେରିଛନ୍ତି।
ଶନିବାର ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଏବଂ ମନ୍ଦିରର ପ୍ରମୁଖ ସେବାୟତ ଶମ୍ଭୁ ନାଥ ପାତ୍ର, ସୋମନାଥ ପାତ୍ର, ଆଦିତ୍ୟ ପାତ୍ର, ପ୍ରଫୁଲ୍ଲ ପାତ୍ର ଓ ତାରିଣୀ ପାତ୍ର ପ୍ରଚଳିତ ରୀତିନୀତି ଅନୁଯାୟୀ ମା’ଙ୍କ ସ୍ନାନ, ମାଜଣା, ସେବାପୂଜା ଓ ମହାଆଳତି ସମ୍ପନ୍ନ କରିଥିଲେ। ମା’ଙ୍କ ମସ୍ତକରୁ ଆଜ୍ଞାମାଳ (ଫୁଲମଣ୍ଡା) ଖସିବା ପରେ ସେବାୟତମାନେ ତାହାକୁ ମସ୍ତକରେ ଧାରଣ କରି ହୁଳହୁଳି, ଘଣ୍ଟ, ଢୋଲ, ମହୁରୀ ଓ ବାଣ ରୋଷଣୀ ସହଜାର ହଜାର ଭକ୍ତଙ୍କ ଗହଣରେ ଶୋଭାଯାତ୍ରାରେ ବାହାରିଥିଲେ। ଗୁଣ୍ଡିଚା ମନ୍ଦିର ଛକ ଓ ବଜାର ସାହି ଦେଇ ମା’ ସାଆନ୍ତାଣୀ ଅସ୍ଥାୟୀ ଯାତ୍ରାପୀଠ ମଣ୍ଡପକୁ ବିଜେ କରିଥିଲେ।
ଯାତ୍ରା ପରିଚାଳନା କମିଟି ସଭାପତି ବିଚିତ୍ରାନନ୍ଦ ପଟ୍ଟନାୟକ, ଉପସଭାପତି ଏ. ସୁଶାନ୍ତ, ସମ୍ପାଦକ ଦୀପକ କୁମାର ମିଶ୍ର, ଏନ୍ଏସ୍ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କ ସମେତ କମିଟି ଓ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ହୋମଯଜ୍ଞ ଓ ପୂର୍ଣ୍ଣକଳସ ସ୍ଥାପନ ପୂର୍ବକ ମୁଖ୍ୟଘଟ ଓ ପାର୍ଶ୍ଵଘଟ ସଂସ୍ଥାପନ କରାଯାଇ ମଙ୍ଗଳ ଆଳତି ଓ ଭୋଗ ଲାଗି କରାଯାଇଥିଲା।
ଯାତ୍ରା ଅବସରରେ ପ୍ରତ୍ୟେକ ଦିନ ମା’ଙ୍କ ଘଟ ଶୋଭାଯାତ୍ରା ବିଭିନ୍ନ ସାହି ପରିକ୍ରମା କରିବ। ଜନଗହଳି ନିୟନ୍ତ୍ରଣ ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏନ୍ଏସ୍ସି ପ୍ରଶାସନ ପକ୍ଷରୁ ପାନୀୟ ଜଳ, ଆଲୋକ ଓ ପରିମଳ ବ୍ୟବସ୍ଥା କରାଯାଇଛି। ଏହାସହ ଯାତ୍ରାପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି, ଅପେରା, ରାମଦୋଳି ଓ ମୀନାବଜାର ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ। ଏହି ୮ ଦିନିଆ ଯାତ୍ରା ମହୋତ୍ସବ ଆସନ୍ତା ଆଶ୍ୱିନ ଶୁକ୍ଳ ପୂର୍ଣ୍ଣମୀ ତିଥି (୨୫ ତାରିଖ) ଭୋରରୁ ମା’ଙ୍କ ବାହୁଡ଼ା ମେଲାଣି ଯାତ୍ରା ସହ ଉଦ୍ଯାପିତ ହେବ।

