hands of a prisoner on prison bars
ରାଇରଙ୍ଗପୁର,୨୫ା୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍ ଜେଲ୍ରେ ଅଜୀବନ ସଜା କାଟୁଥିବା ଜଣେ କଏଦୀ ଶୁକ୍ରବାର ଚିକିତ୍ସା ପାଇଁ ଯାଇଥିବା ବେଳେ ଜେଲ୍ କର୍ମଚାରୀଙ୍କୁ ଚକ୍ମା ଦେଖାଇ ଚମ୍ପଟ ମାରିଥିଲେ। ଶନିବାର ସନ୍ଧ୍ୟାରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତଗର୍ର୍ତ ରେହେଡ଼ାକୋଚା ଗ୍ରାମ ରାସ୍ତାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଧରିବାରେ ସଫଳ ହୋଇଛନ୍ତି। କଏଦୀ ଜଣକ ହେଲେ ତିରିଂ ଥାନା ଅଞ୍ଚଳର ଡମାନ ମାରାଣ୍ଡି। ୨୦୧୩ରେ ଏକ ହତ୍ୟା ମାମଲାରେ ସେ କୋର୍ଟ ଚାଲାଣ ହୋଇଥିଲେ। ୨୦୧୬ରେ ରାଇରଙ୍ଗପୁର ଅତିରିକ୍ତ ଜିଲା ଦୌରା ଜଜ୍ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଶୁକ୍ରବାର ବାରିପଦାସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରୁ ଫେରିବା ବେଳେ ସନ୍ଧ୍ୟା ୫ଟା ସମୟରେ ବିଶୋଇ ଥାନା ଅଧୀନ କୁନ୍ଦୁଳିଆ ଗ୍ରାମ ନିକଟରେ ଶୌଚ ହେବା ବାହାନାରେ ଗାଡ଼ିରୁ ଓହ୍ଲାଇ ଫେରାର ହୋଇଯାଇଥିଲେ। ଏନେଇ ଜେଲ୍ କନଷ୍ଟେବଲ ଜିତେନ୍ଦ୍ର ମାରାଣ୍ଡି ଥାନାରେ ଅଭିଯୋଗ କରିଥିଲେ।