ଝରିଗାଁ,୧୦।୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଗୋମିଆଡ଼ା ଗ୍ରାମଠାରୁ କିଛି ଦୂରରେ ସୋମବାର ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଘମା ଗୌଡ଼(୪୫)।
ଗ୍ରାମବାସୀଙ୍କ କହିବା ମୁତାବକ, ସବୁଦିନ ଭଳି ସୋମବାର ଟ୍ରାକ୍ଟର ଚାଳକ ପୂର୍ଣ୍ଣ ଭତ୍ରା ଝରିଗାଁ ବ୍ଲକ ବାଣୁଆଗଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋମିଆଡ଼ା ଗ୍ରାମର ୧୨ଜଣ ମହିଳା ଶ୍ରମିକ ଘମା ଗୌଡ଼, ସୁଲଚନା ଠାକୁର, ରାଧିକା ଠାକୁର, ନୀଳନ୍ଦ୍ରି ଠାକୁର, ଜୟମନି ନାୟକ, ଅଞ୍ଜନା ନାୟକ, ପଦନା ନାୟକ, ଡମନି ମାଳି, ଚଞ୍ଚଲା ମାଝୀ, ଅମାଦେଇ ମାଝୀ ଓ ନବୀନା ମାଝୀଙ୍କୁ ଟ୍ରାକ୍ଟର ଡାଲାରେ ବସାଇ ରାସ୍ତା କାମରେ ନିୟୋଜିତ କରିବାକୁ ନେଉଥିଲେ।
ହେଲେ ଗୋମିଆଡା ଗାଁଠାରୁ କିଛି ଦୂର ଆସିବା ପରେ ହଠାତ ଟ୍ରାକ୍ଟରର ହାଇଡ୍ରୋଲିକ ଡାଲା ଉପରକୁ ଉଠି ଯାଇଥିଲା। ଫଳରେ ଟ୍ରାକ୍ଟରରେ ବସିଥିବା ସମସ୍ତ ମହିଳା ଶଅମିକ ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ। ଫଳରେ ଘମା ଗୌଡ଼ଙ୍କ ମୁଣ୍ଡରେ ଆଘାତ ଲାଗଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ।
ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୋଗ ପାଇ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଜବତ କରିବା ସହ ଟ୍ରାକ୍ଟର ଚାଳକ ପୂର୍ଣ୍ଣକୁ ଥାନାକୁ ଆଣି ପଚରାଉଚରା କରୁଛି। ତେବେ ଗ୍ରାମବାସୀ କ୍ଷତି ପୂରଣ ଦାବି କରି ଝରିଗାଁ-ଡାବୁଗାଁ ରାସ୍ତା ଅବରୋଧ କରିଥିଲେ।
ପୋଲିସ ପହଞ୍ଚି ବୁଝାଶୁଝା ପରେ ଗ୍ରାମବାସୀ ରାସ୍ତାରୁ ହଟିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।