ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର ଜିଲା ନୀଳଗିରି ଅଭିମୁଖେ ଯାଇଥିଲେ। ଗତ ୧୧ ତାରିଖରେ ୨୫ଟି ହାତୀ ଫେରିଥିବା ବେଳେ ୨ଟି ହାତୀ ୧୨ ତାରିଖରେ ବେତନଟୀ ରେଞ୍ଜ ଚୁଆପଦା ଜଙ୍ଗଲରେ ପହଞ୍ଚତ୍ଥିଲେ। ସେଥିମଧ୍ୟରୁ ଏକ ୭/୮ ବର୍ଷୀୟା ମାଈହାତୀ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତା’ପାଟିରୁ ରକ୍ତ ଝରିବା ସହ ଦୁର୍ଗନ୍ଧ ହେଉଥିଲା। ହାତୀଟି ଖାଦ୍ୟ ପାନୀୟ ଗ୍ରହଣ କରି ନ ପାରି ଏଣେତେଣେ ଦୌଡ଼ି ବୁଲୁଥିଲା। ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଟ୍ରାଙ୍କୁଲାଇଜ୍‌ କରି ହାତୀଟିକୁ ଉଦ୍ଧାର କରିଥିଲେ। ପରେ ତାକୁ ଶିମିଳିପାଳ ଜାତୀୟ ଉଦ୍ୟାନ ଉତ୍ତର ଡିଭିଜନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ତାଳବନ୍ଧ ରେଞ୍ଜ କାନଛିଣ୍ଡା ପ୍ରାଣୀ ଚିକିତ୍ସାଳୟରେ ରଖି ଚିକିତ୍ସା କରାଯାଉଛି। ଅନାହାର ଓ ସଂକ୍ରମଣ ବୃଦ୍ଧି ଯୋଗୁ ହାତୀଟି ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି।
ଆର୍‌ସିସିଏଫ୍‌ ଗୋଗିନେନୀ କୁହନ୍ତି, ହାତୀର ଜିଭଟି ଏକ ତୃତୀୟାଂଶ ଛିଣ୍ଡି ଯାଇଥିବା ବେଳେ ସଂକ୍ରମଣ ବୃଦ୍ଧି ପାଇଛି। ଡାକ୍ତରୀ ଟିମ୍‌ ତା’ର ଚିକିତ୍ସା ଜାରି ରଖିଛନ୍ତି। ତଦନ୍ତ ପରେ ବିସ୍ଫୋରଣଜନିତ ଘଟଣା ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତିି, ଏହା ଏକ ଜଘନ୍ୟ ଅପରାଧ। ଏଭଳି ନୃଶଂସ କାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କୁ ହତ୍ୟା ଭଳି ଆଇନରେ ଦଣ୍ଡିତ କରାଯିବା ଉଚିତ। ପରିବେଶବିତ୍‌ ସଂଯୁକ୍ତା ବସା କୁହନ୍ତି, ବାଣ ବିସ୍ଫୋରଣ ପାଇଁ ହାତୀର ଜିଭ ଛିଣ୍ଡିଛି। ଏଭଳି କ୍ରୂର ଘଟଣାକୁ ସେ ଦୃଢ଼ ନିନ୍ଦା କରିଛନ୍ତି। ତେବେ ଜଙ୍ଗଲୀ ବାର୍‌ହା ଶିକାର କିମ୍ବା ବନ୍ୟଜନ୍ତୁଙ୍କୁ ଭୟଭୀତ କରିବା ପାଇଁ ବିଶେଷତଃ ଚାଷୀମାନେ ପନିପରିବା କିମ୍ବା ଫଳଜାତୀୟ ଖାଦ୍ୟରେ ବିସ୍ଫୋରକ ଭର୍ତ୍ତି କରି ବ୍ୟବହାର କରିଥାନ୍ତି। ଏହିଭଳି ଅମାନବୀୟ ଆକ୍ରୋଶର ଶିକାର ହୋଇ ମାଈହାତୀଟି ମୃତ୍ୟୁସହ ସଂଗ୍ରାମ କରୁଥିବା ଚର୍ଚ୍ଚା ହେଉଛି।

Dharitri – Odisha’s No.1 Odia Daily