ବାତ୍ୟା ଭୟ: ଉପକୂଳମୁହାଁ ଟ୍ରଲର, ଡଙ୍ଗା

ଭୋଗରାଇ, ୪।୧୨ (ଡି.ଏନ.ଏ.)-ବଙ୍ଗୋପସାଗରରୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଜୱାଦ। ମେ’ ରେ ସାମୁଦ୍ରିକ ଝଡ଼ ‘ୟାସ୍‌’ ତାଣ୍ଡବ ମନରୁ ଲିଭି ନ ଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ନେଇ ଉପକୂଳବାସୀଙ୍କୁ ଭୟଭୀତ ହୋଇପଡିଛନ୍ତି। ଏହି ବାତ୍ୟା ବାଲେଶ୍ୱର ଉପକୂଳକୁ ପ୍ରଭାବିତ କରିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ବାତ୍ୟାର ଭୟଙ୍କର ରୂପ କୂଳଆଡ଼କୁ ଅଗ୍ରସର ହେଉଥିବା ବେଳେ ଶୁକ୍ରବାର ପାଗରେ ଅବନତି ହୋଇଛି। ଆକାଶ ମେଘାଛନ୍ନ ରହିଥିବା ବେଳ ସମୁଦ୍ର ଅଶାନ୍ତ ହୋଇଛି। ଅମାବାସ୍ୟା ତିଥିରେ ସମୁଦ୍ର ଉତ୍ତାଳ ହୋଇ କୂଳଆଡ଼କୁ ଢ଼େଉ ମାଡ଼ିଆସୁଥିବା ଦେଖାଦେଇଛି। ବାତ୍ୟା ଓ ଅଶାନ୍ତ ସମୁଦ୍ର ଯୋଗୁ ବାଲେଶ୍ୱର ଉପକୂଳରୁ ଗଭୀର ସମୁଦ୍ରକୁ ଯାଇଥିବା ସମସ୍ତ ଟ୍ରଲର ଓ ମାଛଧରା ଡଙ୍ଗା ଶନିବାର ସକାଳ ସୁଦ୍ଧା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଫେରିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାର ଉଦୟପୁର, ତାଳସାରୀ, ବିଚିତ୍ରପୁର, ଡଗରା, ବାହାବଳପୁର, ବଳରାମଗଡ଼ି, ଚାନ୍ଦିପୁର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନ ଯିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି। ଅପରପକ୍ଷରେ ଭୋଗରାଇ ସୀମାନ୍ତ ଦୀଘା, ଶଙ୍କରପୁର, ତାଜପୁର ଓ ମନ୍ଦାରମଣୀ ପର୍ଯ୍ୟଟନସ୍ଥଳୀରେ ସମୁଦ୍ରକୁ ନ ଯିବାକୁ ପର୍ଯ୍ୟଟକଙ୍କୁ ପଶ୍ଚିମବଙ୍ଗ ପ୍ରଶାସନ କଡ଼ା ସତର୍କତା ଜାରି କରିିବା ସହିତ ଏନ୍‌ଡିଆର୍‌ଏଫ୍‌ର ୨୫ଜଣିଆ ଟିମ୍‌ ଏଠାରେ ପଇଁତରା ଦେଉଛି। ବର୍ଷା ଓ ବାତ୍ୟା ଆଶଙ୍କା ଯୋଗୁ ଚାଷୀକୁଳ ଚିନ୍ତିତ ହୋଇ ପଡିଛନ୍ତି।