ପ୍ରଖ୍ୟାତ ଜର୍ମାନ ଦାର୍ଶନିକ ‘ନିଚ୍ଚା’ (ନିଟ୍‌ସେ) କହିଥିଲେ, ‘ଭୟ ହେଉଛି ନୈତିକତାର ଜନନୀ’। ପୁଅଝିଅର ମା’ବାପାଙ୍କ ପ୍ରତି ଭୟ, ଛାତ୍ରୀଛାତ୍ରଙ୍କ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପ୍ରତି, ସାନଭାଇର ବଡ଼ଭାଇ ପ୍ରତି, ପରିବାରର କନିଷ୍ଠମାନଙ୍କ ବରିଷ୍ଠ ସଦସ୍ୟମାନଙ୍କ ପ୍ରତି ଏବଂ ସମାଜର ନୀତିନିଷ୍ଠ ଗୁରୁଜନମାନଙ୍କ ପ୍ରତି ଅନ୍ୟମାନଙ୍କର ସ୍ବାଭାବିକ ଭୟ ପ୍ରଦର୍ଶନ ପଛରେ ଥାଏ ଏକ ଆତ୍ମଗୃହୀତ ନୈତିକତା। ଏ ଭୟ ଏକପ୍ରକାର ଶ୍ରଦ୍ଧାମିଶା ସମ୍ମାନ, ଯାହା ପଛରେ ଦୈହିକ ଯାତନା ବା ଅନ୍ୟ କୌଣସି ପ୍ରକାର ଶୋଷଣର ଭୂମିକା ନ ଥାଏ। ଏହି ଭୟ ଏକ ପ୍ରକାର ନମ୍ର ସଂଭ୍ରମଭାବ, ଯାହା ସାମାଜିକ ସହାବସ୍ଥାନ ପାଇଁ ନିତାନ୍ତ ଆବଶ୍ୟକ।
ଏହି ପ୍ରକାରର ଶ୍ରଦ୍ଧା-ସମ୍ମାନ-ପ୍ରସୂତ ଭୟ ମଣିଷକୁ କାପୁରୁଷ ବା ଭୀରୁ କରେ ନାହିଁ କି ତା’ର ବାକ୍‌ସ୍ବାଧୀନତା ଅପହରଣ କରେ ନାହିଁ ବରଂ ତାକୁ ଏକ ନୈତିକ ପଥର ଯାତ୍ରୀ ହେବାରେ ସହାୟକ ହୁଏ। ଉପରୋକ୍ତ ସାମାଜିକ କ୍ଷେତ୍ର ଛଡ଼ା ମଣିଷର ଭୟ କରିବାକୁ ବହୁତ କ୍ଷେତ୍ର ଅଛି, ଯାହା ତାକୁ ନୀତିନିୟମଭରା ଏକ ଶୃଙ୍ଖଳିତ ଜୀବନ ଯାପନ କରିବାକୁ ମାର୍ଗଦର୍ଶନ କରେ। ଏହି କ୍ଷେତ୍ର ଭିତରେ ରହିଛି ଭଗବାନଙ୍କୁ ଭୟ, ମୃତ୍ୟୁ ଭୟ, ସାମାଜିକ ଲୋକଲଜ୍ଜା ଓ ଅପବାଦକୁ ଭୟ, ନିୟମକୁ ଭୟ, ଭୂତପ୍ରେତ ପ୍ରତି ଭୟ ଓ ସର୍ପଦଂଶନକୁ ଭୟ। ଭୂତଭୟ ଓ ସର୍ପଦଂଶନର ଭୟ ଏକ ପ୍ରକାର ସାଂକେତିକ ଭୟ। ସତେ ଯେପରି ମଣିଷକୁ ଶୃଙ୍ଖଳିତ କରି ରଖିବା ପାଇଁ ଏମାନେ ଏକପ୍ରକାର ଅଧିଭୌତିକ ଶକ୍ତି।
ଶିକ୍ଷୟିତ୍ରୀଶିକ୍ଷକ, ମା’-ବାପା, ବଡ଼ଭାଇ ଭଉଣୀ ଓ ଅନ୍ୟଗୁରୁଜନଙ୍କ ପ୍ରତି ପ୍ରଦର୍ଶିତ ଭୟର ଅର୍ଥ ଆକ୍ଷରିକ ନୁହେଁ। ଏହି ତଥାକଥିତ ଭୟ ପଛରେ ଥାଏ ଅନ୍ତରଭରା କୃତଜ୍ଞତା ପ୍ରକାଶର ଏକ ମାନସିକତା। ବାଲ୍ୟାବସ୍ଥା ଓ କିଶୋରଅବସ୍ଥାରେ ଜୀବନର ମାର୍ଗକୁ ଠିକ୍‌ ଭାବରେ ଚିହ୍ନି ଚାଲିବାର ଅଜ୍ଞତା ଏହି ଭୟ ସଞ୍ଚାର କରେ, ଯାହା ପରବର୍ତ୍ତୀ ଅବସ୍ଥାକୁ ସଂପ୍ରସାରିତ ହୋଇଥାଏ। ଭାରତୀୟ ସଂସ୍କୃତି ପ୍ରେକ୍ଷାପଟରେ ଏହା ଏକ ଗୃହୀତ ସାମାଜିକ ପରମ୍ପରା, ଯାହା ଅନ୍ତରାଳରେ ଥାଏ ଏକ ଭାରସାମ୍ୟ। ଯେଉଁ ଯେଉଁ କ୍ଷେତ୍ରରେ ଭୟଭାବ ମଣିଷକୁ ସୁନାଗରିକ କରେ, ଦେଶର ପ୍ରାକୃତିକ ତଥା ଆର୍ଥିକ ସମ୍ବଳକୁ ସୁରକ୍ଷିତ ରଖେ ଓ ମଣିଷକୁ ନୈଷ୍ଠିକ ଜୀବନଯାପନରେ ଭୂମିକା ନିର୍ବାହ କରେ ଏ ସବୁ କ୍ଷେତ୍ରରେ ଭୟର ଅନୁପସ୍ଥିତି ବ୍ୟକ୍ତି, ସମାଜ ଓ ଦେଶପ୍ରତି କ୍ଷତିକାରକ ସାବ୍ୟସ୍ତ ହୁଏ। ନିୟମକାନୁନ୍‌ ପ୍ରତି ଭୟ ଅବା ସମ୍ମାନ ପ୍ରଦର୍ଶନ ପୋଲିସର ଉପସ୍ଥିତି ବା ଅନୁପସ୍ଥିତିକୁ ଅବାନ୍ତର କରି ତୋଳେ ଏବଂ ଏହି ଭୟ ବା ଖାତିର ପରୋକ୍ଷରେ ମଣିଷକୁ ନିର୍ଭୟରେ ଏକ ସୁସ୍ଥ ସମାଜରେ ରହିବାକୁ ସାହାଯ୍ୟ କରେ। ଆଇନକାନୁନ୍‌କୁ ହେୟ ଜ୍ଞାନ କରିବା, ଲୋକ ଅପବାଦ ଓ ଲୋକଲଜ୍ଜା ପ୍ରତି ଚମଡ଼ା ମୋଟ କରିବା ଆଜି ଦେଶ ପାଇଁ, ସମାଜ ପାଇଁ ମହଙ୍ଗା ପଡୁଛି। ନିୟମକାନୁନ୍‌ ପ୍ରତି ଯଦି ଆଜିର ସରକାରୀ କର୍ମଚାରୀ ବା ଜନସାଧାରଣଙ୍କ ସାମାନ୍ୟତମ ଭୟ ଥାଆନ୍ତା ଅବା ଦୁର୍ନୀତି କି ଅପକର୍ମରେ ଗିରଫ ହେବାର ପରଦିନ ନିଜର କୋମଳମତି ପିଲାଛୁଆମାନଙ୍କ ଲାଞ୍ଛିତ ହେବାର ଦୃଶ୍ୟପ୍ରତି ଯଦି ସାମାନ୍ୟତମ ସମ୍ବେଦନଶୀଳତା ଥାଆନ୍ତା, ଆଜି ରାଜ୍ୟ ବା ରାଷ୍ଟ୍ରର ସ୍ଥିତି ଭିନ୍ନ ହୁଅନ୍ତା। ଉପରୋକ୍ତ ସମସ୍ତ ଭୟ କ୍ଷେତ୍ରର ସମ୍ମିଳିତ ପ୍ରକାଶ ହେଉଛନ୍ତି ଭଗବାନ। ସେଥିପାଇଁ ଲୋକେ କହନ୍ତି, ‘ତୁ ଆଉ କାହାକୁ ଡର ନ ଡର ଟିକେ ଭଗବାନଙ୍କୁ ଡର!’ ସେ ଭୟ ମଧ୍ୟ ଆଜି ନାହିଁ, କେବଳ ବଜ୍ରପାତ ବେଳେ ଡରିମରି ଟିକେ ଉଚ୍ଚାରଣ କରି ପକାଇବା ଛଡ଼ା!
ବେଳେବେଳେ ପ୍ରକୃତିକୁ ଭଗବାନଙ୍କ ସ୍ଥାନରେ ଛିଡ଼ା କରେଇ ମଣିଷ ମଣିଷକୁ ଡରାଏ, ରାସ୍ତାକୁ ଆଣିବାକୁ ଚେଷ୍ଟାକରେ। ସେଇଠୁ ଆରମ୍ଭ ହୋଇଛି ବଜ୍ରପାତ ଓ ସର୍ପକଥା। ମଣିଷ ପ୍ରତ୍ୟକ୍ଷ ଭଗବାନଙ୍କ କଥା ନ କହି ଅଭିଶାପ ଭଙ୍ଗୀରେ ଏହି ଦୁଇ ଶବ୍ଦର ନାମ ଉଚ୍ଚାରଣ କରି କହେ, ”ତୋ ମୁଣ୍ଡରେ ବଜ୍ର ପଡୁ, ତୋତେ ସାପ କାମୁଡୁ!“ ଭାରତ ତଥା ପୃଥିବୀର ବହୁ ଦେଶର ଲୋକ ପ୍ରକୃତିର କଳ୍ପିତ ହିଂସାତ୍ମକ ହସ୍ତକ୍ଷେପକୁ ଆତ୍ମ-ସଂଶୋଧନ ଅବା ନୀତିଭ୍ରଷ୍ଟ ନ ହେବାର ଏକ ପଦକ୍ଷେପ ହିସାବରେ ନିଜ ନୈତିକ ଦର୍ଶନରେ ସାମିଲ କରି ନିଜ ଜୀବନକୁ ପରିଚାଳନା କରନ୍ତି। ଏ ପ୍ରସଙ୍ଗରେ ମନେ ପଡ଼େ ଇଂରାଜୀ କବି ୱିଲିୟମ ୱାର୍ଡସ୍‌ୱର୍ଥଙ୍କ କଥା। ପ୍ରକୃତି କବି ୱାର୍ଡସ୍‌ୱର୍ଥ ତାଙ୍କ ନୈତିକ ସତ୍ତାର ବିବର୍ତ୍ତନ, ପ୍ରକୃତି ଯୋଗୁ ସମ୍ଭବ ହୋଇଥିଲା ବୋଲି କହିଥିଲେ। ବାଲ୍ୟକାଳର ଏକ ଘଟଣାର ଉଲ୍ଲେଖ କରିଥିଲେ ଏହା ପ୍ରତିପାଦିତ କରିବା ପାଇଁ। କୈଶୋର ଅବସ୍ଥାର ଦିନେ ନଈକୂଳରେ ବନ୍ଧା ହୋଇଥିବା ଏକ ଅପରିଚିତ ଲୋକର ଡଙ୍ଗା ଫିଟାଇ ସେ ନାବକେଳି କରିବାକୁ ବାହାରି ଯାଇଥିଲେ। ମାଲିକର ବିନା ଅନୁମତିରେ ଏହା କରିଥିବାରୁ ସେ ଏକ ଚୋରିକାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ତାଙ୍କୁ ଲାଗିଲା। ହଠାତ୍‌ ସେ ଅନୁଭବ କଲେ ଯେପରି ନଈର ଦୁଇପାର୍ଶ୍ୱସ୍ଥ ପାହାଡ଼ଗୁଡ଼ିକ ଡେଙ୍ଗା ହୋଇ ବିପରୀତ ପାର୍ଶ୍ୱରୁ ତାଙ୍କ ଉପରେ ନଇଁ ଆସୁଛନ୍ତି। ତୁରନ୍ତ ସେ ନଈକୂଳକୁ ଫେରି ପୂର୍ବସ୍ଥାନରେ ଡଙ୍ଗାଟିକୁ ବାନ୍ଧିଦେଇ ଘରକୁ ଫେରିଲେ। କଥା ହେଲା ସେ ପ୍ରକୃତିକୁ ଯେମିତି ଭଲ ପାଉଥିଲେ, ସେତିକି ଭୟ ମଧ୍ୟ କରୁଥିଲେ। ପ୍ରକୃତି ପ୍ରତି ଭୟ ତାଙ୍କୁ ସବୁବେଳେ ଅବାଟରୁ ଫେରାଇ ଆଣୁଥିଲା।
ଭୟଭାବ ଓ ଅଭାବବୋଧ ମଣିଷକୁ ଏକ ଶୃଙ୍ଖଳିତ ଜୀବନଯାପନ କରିବାରେ ସାହାଯ୍ୟ କରେ। ଏକ ସାଧାରଣ ଉଦାହରଣ ଦେଇ ମୋର ବନ୍ଧୁ ମୋତେ ଏକଦା କହିଥିଲେ କିପରି ‘ଆଶଙ୍କାଭାବ’ ପୋଷଣ କରୁଥିବା ଗୃହକର୍ତ୍ତାମାନେ ଅତିଥି ସତ୍କାରରେ ସଫଳ ହେଉଥିଲାବେଳେ ଅର୍ଥର ଅହଂକାର ଏବଂ ‘ସବୁକିଛି ଯୋଗାଇ ଦେଇଥିବାର ବଡ଼ିମା’ ପ୍ରଦର୍ଶନ କରୁଥିବା କର୍ତ୍ତାମାନଙ୍କର ଆପ୍ୟାୟନ ଉଦ୍ୟମ ବିଫଳ ହୁଏ। ଭଗବାନ ହେଉ ଅବା ପ୍ରକୃତିର ରୋଷ ଓ ଅବା ମୃତ୍ୟୁ ମନ ଭିତରେ ଥିବା ସାମାନ୍ୟ ଭୟ ମଣିଷର ଅହଂକାରକୁ ହ୍ରାସ କରାଏ, ମନ ଭିତରେ ଏକ ସମର୍ପଣ ଭାବ ସୃଷ୍ଟିକରେ। ଏହି ପ୍ରକାର ପବିତ୍ର, ନୈତିକ ଭୟ ତା’ର ଆତ୍ମବିଶ୍ୱାସକୁ ପ୍ରତିହତ କରେ ନାହିଁ ବରଂ ପବିତ୍ରତାରେ ଭରା ତା’ର ବ୍ୟକ୍ତିତ୍ୱ ଦୃଢ଼ ଆତ୍ମ-ବିଶ୍ୱାସରେ କାମ କରିବାକୁ ଅଗ୍ରସର ହୁଏ।
ସାଧାରଣ ଭୟ ଓ ନୈତିକ ଭୟ ମଧ୍ୟରେ ଫରକ ରହିଛି। ବ୍ରିଟିଶ ଶାସନକାଳରେ ଆମେ ଭୟର ଏକ ଅତିରଞ୍ଜିତ ଚିତ୍ର ଦେଖୁ। ନାଲି ପଗଡ଼ି ପିନ୍ଧିଥିବା ଓ ହାତରେ ରୋଲବାଡ଼ିଟି ଧରିଥିବା ପୋଲିସଟି ଗାଁ ଦାଣ୍ଡରେ ଯାଉଥିଲେ, ଲୋକେ କବାଟକିଳି ଘରେ ପଶୁଥିଲେ, ଅବା ନିଭୃତରେ କେଉଁ ଗଛରେ ଚଢ଼ି ଆତ୍ମଗୋପନ କରୁଥିଲେ। ସେ ସମୟରେ ପ୍ରଶାସନ ପ୍ରତି ଭୟର ଏକ ଚିତ୍ର ଦେଇ ଫକୀରମୋହନ ଲେଖିଛନ୍ତି କିପରି ତାଙ୍କର ବୁଢ଼ୀମାଆ ଜାତିଯିବା, ଇଜ୍ଜତ ଯିବା ଭୟରେ ନିଜର ଜମିଜମା ପରିବାର ନାମରେ ଲେଖେଇବାକୁ କଚେରି ନ ଯାଇ ପରୋକ୍ଷରେ ଦାରିଦ୍ର୍ୟକୁ ଆମନ୍ତ୍ରଣ କରିଥିଲେ। ଏବେ ସ୍ଥିତି ଅଲଗା। ଏବେ କାହାରି କାହାରିକୁ ଭୟ ନାହିଁ। ତେବେ ସାଧାରଣ ଜୀବନରେ ଭୟର ଏକ ପ୍ରାସଙ୍ଗିକତା ଅଛି। ଆସନ୍ନ ବିପଦକୁ ଭୟକରି ମୁକାବିଲା ପାଇଁ ପ୍ରସ୍ତୁତ ହେବା ପରିବର୍ତ୍ତେ ମନରେ ସଞ୍ଚାରିତ ଭୟର ଭୂତକୁ ଯଦି ଆମେ ଭୟକରୁ, ତା’ହେଲେ ପ୍ରକୃତ ବିପଦ ଉପସ୍ଥିତ ହେଲାବେଳେ ଆମର ପରାଜୟ ଅବଶ୍ୟମ୍ଭାବୀ। ପ୍ରେମକୁ (ପ୍ରେମିକାକୁ ନୁହେଁ; କଳ୍ପିତ ପ୍ରେମ ଅନୁଭୂତିକୁ) ପ୍ରେମକରିବା ଭଳି ଭୟକୁ ଭୟ କରିବା ଏକ ମାନସିକ ଭ୍ରମ, ଯାହାର ପରିଣତି ଦୁଃଖଦାୟକ।
‘ନିଚ୍ଚା’ଙ୍କ ଉକ୍ତି ‘ଭୟ ନୈତିକତାର ଜନନୀ’ ମଣିଷକୁ ଡରୁଆ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ବରଂ ଏକ ପବିତ୍ର ଭୟଭାବ ମଣିଷକୁ ନିରଂହକାର ଓ ନୀତିନିଷ୍ଠ କରାଇ ତାକୁ ଏକ ସଫଳ ବ୍ୟକ୍ତିତ୍ୱ ଓ ଗୁଣବାନ ନାଗରିକରେ ପରିଣତ କରେ।

ଡ. ସୁବାସ ଚନ୍ଦ୍ର ପାତ୍ର
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର
ମୋ : ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri