Video: ରତ୍ନସିଂହାସନରୁ ଓହ୍ଲାଇବ କି ଜଗନ୍ନାଥ? ଅସୁସ୍ଥ ପୁଅ ପାଇଁ ବାପାର ହୃଦୟବିଦାରକ ଗୁହାରି

ପୁରୀ,୯।୧୧: ରବିବାର ସକାଳୁ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏକ ହୃଦୟବିଦାରକ ଦୃଶ୍ୟ, ଯାହା ଦେଖିଲେ ଯେ କେହି ବି ଭାବବିହ୍ୱଳ ହୋଇଯିବେ। ଜଣେ ଦୁଃଖି ବାପା ତାଙ୍କର ଅସୁସ୍ଥ ପୁଅର ଜୀବନ ଭିକ୍ଷା ମାଗିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସବୁକିଛି ଅଜାଡ଼ି ଦେଇଛନ୍ତି।

ନିଜ କୁନି ପୁଅକୁ ସିଂହଦ୍ୱାର ସମ୍ମୁଖରେ ଶୁଆଇ ଦେଇ ସେହି ବାପା ଜଣକ ଛାତି ପିଟି କାନ୍ଦୁଥିଲେ। ‘ଜୟ ଜଗନ୍ନାଥ’ ବଦଳରେ ସେ ଆଖିରୁ ଧାର ଧାର ଲୁହ ଝରାଇ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡର ନାୟକଙ୍କୁ ବାରମ୍ବାର ‘ମଣିମା… ମଣିମା…’ ଡାକୁଥିଲେ। ତାଙ୍କ ଆଖିର ଲୁହରେ ଶ୍ରୀମନ୍ଦିରର ସିଂହଦ୍ୱାର ଭିଜି ଯାଉଥିଲା। ତାଙ୍କର ଏହି କରୁଣ ଚିତ୍କାର ଶୁଣି ବଡ଼ଦାଣ୍ଡରେ ଉପସ୍ଥିତ ଥିବା ଭକ୍ତ ଏବଂ ପଣ୍ଡାମାନଙ୍କ ହୃଦୟ ବି କାନ୍ଦି ଉଠିଥିଲା।

ସେ ଅତ୍ୟନ୍ତ ଆକୁଳ ଭାବରେ ପ୍ରଭୁ ଜଗନ୍ନାଥଙ୍କୁ ନିବେଦନ କରୁଥିଲେ, “ଆହେ ଦୟାମୟ ବିଶ୍ୱ ନାୟକ… ଗୁହାରି ଶୁଣ ହେ ମଣିମା… ଜଗା, ତୁ ରତ୍ନସିଂହାସନରୁ ଓହ୍ଲାଇ ଆସି ଏ ବାପାର ମନର କଥା ପୂରଣ କରିଦେ। ମୋ ପିଲାକୁ ଥରେ କୋଳରେ ହସେଇ ଦେ। ତା’ କୁନି ପାଟିରେ ଆଉ ଥରେ ଚମକ ଦେଇଦେ।” ଏହି ବାପାଟି ତା’ର ସବୁ ଭୁଲ୍ ଓ ଦୋଷ ପାଇଁ କ୍ଷମା ମାଗି ପୁଅ ପାଇଁ ଜୀବନ ଭିକ୍ଷା କରୁଥିଲା।

ଏହି ବାପାଙ୍କ ହୃଦୟରେ ଅଗାଢ଼ ବିଶ୍ୱାସ ଥିଲା ଯେ ଯଦି ମହାପ୍ରଭୁ ଚକାଡୋଳା ତାଙ୍କ ପୁଅ ଉପରେ ଥରେ ନଜର ପକାଇ ଦିଅନ୍ତି, ତେବେ ତା’ର ସବୁ କଷ୍ଟ ଦୂର ହୋଇଯିବ ଏବଂ ସେ ଆଗ ଭଳି ହସିବ ଓ କଥା କହିବ।

ସେଠାରେ ଉପସ୍ଥିତ ଥିବା ପଣ୍ଡାମାନେ ତାଙ୍କୁ ସାନ୍ତ୍ୱନା ଦେବା ସହ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଏବଂ ଗୁହାରି ଜଣାଇବାକୁ କହିଥିଲେ।

Share