ଚିକିତ୍ସା ପାଇଁ ଯାଇଥିଲେ, ମେଡିକାଲରେ ୩ ପୁଅଙ୍କୁ ଛାଡ଼ି ବାପା ଫେରାର

ରାୟଗଡା, ୨୧।୫(ଆଶିଷ ରଞ୍ଜନ ପଣ୍ଡା)- ଜଣେ କି ଦୁଇଜଣ ନୁହେଁ, ତିନି କୁନି ପୁଅଙ୍କୁ ଚିକିତ୍ସା ପାଇଁ ଆଣି ମେଡ଼ିକାଲରେ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି ବାପା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ।

ସୂଚନାନୁଯାୟୀ, କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହା ପାରସାଲି ପଂଚାୟତ ଅର୍ନ୍ତଗତ ପରମାଳି ଗାଁର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ସିତା କାଡ୍ରାକା ନିଜ ଦିବ୍ୟାଙ୍ଗ ପୁଅ ବିଜୁ କାଡ୍ରାକା(୫)ଙ୍କୁ ଶନିବାର ମଧ୍ୟାହ୍ନ ୨ଟା ସମୟରେ ଚିକିତ୍ସା ପାଇଁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଚିକିତ୍ସା ପାଇଁ ବିଜୁ ଓ ଅନ୍ୟ ଦୁଇ ପୁଅଙ୍କୁ ଛାଡ଼ି ବାପା ସିତା କେଉଁଆଡ଼େ ଚାଲିଯାଇଥିଲେ। ତେବେ ବିଜର ଚିକିତ୍ସା ପରେ ବାପାଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଖୋଜିଥିଲେ ହେଁ ପାଇ ନ ଥିଲେ। ଦୀର୍ଘ ସମୟ ଧରି ସିତା ନଫେରିବାରୁ ମେଡ଼ିକାଲ କର୍ତ୍ତୃୃପକ୍ଷ କଲ୍ୟାଣସିଂହପୁର ଆଇଆଇସି ନୀଳକଣ୍ଠ ବେହେରାଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଆଇଆଇସି ବେହେରା ଓ ପୋଲିସ ଟିମ୍‌ ସା ୭.୩୦ରେ ମେଡିକାଲରେ ପହଞ୍ଚିଥିଲେ। ସିତାଙ୍କୁ କଲ୍ୟାଣସିଂହପୁରରେ ବହୁ ଖୋଜାଖୋଜି ପରେ ମଧ୍ୟ ନ ପାଇବାରୁ ତିନି ପିଲାଙ୍କୁ ନେଇ ପରମାଳି ଯାଇ ସେଠାରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଆଇଆଇସି ବେହେରା ସୂଚନା ଦେଇଛନ୍ତି ।

Share
Tags: Local News