ନାବାଳିକା ଝିଅକୁ ବାରମ୍ବାର ବଳାତ୍କାର କରୁଥିଲେ ବାପା: ଜଣାପଡ଼ିବା ପରେ ମିଳିଲା…

ଭୁବନେଶ୍ୱର,୨୬ା୯ (ସତ୍ୟଜିତ୍‌ ରାଉତ): ନାବାଳିକା ଝିଅକୁ ବଳାତ୍କାର ମାମଲାରେ ଅଭିଯୁକ୍ତ ବାପା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ଆଡ୍‌ହକ୍‌ ଅତିରିକ୍ତ ଦୌରା ଜଜ୍‌ ତଥା ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର (ପୋକ୍ସୋ) କୋର୍ଟର ବିଚାରପତି ସରୋଜ କୁମାର ସାହୁ ମହିଳା ଥାନାରେ ରୁଜୁ ହୋଇଥିବା ଏହି ମାମଲରେ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ବାପାଙ୍କୁ ୨୦ବର୍ଷ ଜେଲଦଣ୍ଡ ହୋଇଛି। ଏଥିସହ ତାଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଜରିମାନା ଅନାଦାୟେ ଅଧିକ ୩ ମାସ ଜେଲରେ ରହିବାକୁ ହେବ ବୋଲି କୋର୍ଟ ରାୟରେ କହିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ପୀଡ଼ିତା ତାଙ୍କ ମା’ ଓ ବାପାଙ୍କ ସହ ଶହୀଦନଗର ଥାନା ଅନ୍ତର୍ଗତ ଏକ ବସ୍ତିରେ ରହୁଥିଲେ। ୨୦୨୨ ଅକ୍ଟୋବର ୨୭ ସକାଳେ ମା’ କାମରେ ବାହାରକୁ ଯାଇଥିବାବେଳେ ଘରେ ବାପାଙ୍କ ସହ ୮ବର୍ଷୀୟା ଝିଅ ଥିଲେ। ସକାଳ ପ୍ରାୟ ୧୦ଟାବେଳେ ଝିଅ ଘରେ ପାଠ ପଢ଼ୁଥିବା ବେଳେ ବାପା ଟିଭି ଦେଖୁଥିଲେ। ଏହି ସମୟରେ ବାପା ହଠାତ୍‌ ଝିଅକୁ ପାଖକୁ ଡାକି ବଳାତ୍କାର କରିଥିଲେ। ମା’ ଘରକୁ ଫେରିବା ପରେ ପୀଡିତା ଝିଅ ଘଟଣା ବିଷୟରେ କହିଥିଲେ। ଏପରିକି ଅଭିଯୁକ୍ତ ବାପା ପୂର୍ବରୁ ମଧ୍ୟ ନିୟମିତ ବ୍ୟବଧାନରେ ବଳାତ୍କାର କରିଆସୁଥିବା ଜଣାଇଥିଲେ। ଏନେଇ ପୀଡିତାଙ୍କ ମା’ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୧୪୨/୨୦୨୫) ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିଲା। ତେବେ କୋର୍ଟ ୧୩ଜଣଙ୍କ ସାକ୍ଷ୍ୟ ଓ ୭୭ଟି ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ ରାୟ ଶୁଣାଇଛନ୍ତି। ସରାକରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ରାଜୀବ ସାସମଲ ଓ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ବଳରାମ ଦେଓ ମାମଲା ପରିଚାଳନା କରୁଥିଲେ।