ଚନ୍ଦାହାଣ୍ଡି/ନବରଙ୍ଗପୁର,୨୯।୧୧(ଦିଲ୍ଲୀପ ଦାସ/ସଦଶିବ ପ୍ରହରାଜ): ଯେତେ ସଚେତନକଲେ ମଧ୍ୟ ଲୋକଙ୍କ ଭିତରେ ଏବେ ମଧ୍ୟ ଅନ୍ଧବିଶ୍ୱାସ, ଜାତିପ୍ରଥା ଭରି ରହିଛି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍ ଅଞ୍ଚଳରେ। ଗୁରୁବାର ରାତିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ମୃତକଙ୍କ ବାପା ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କ ସମାଜ ଲୋକ ମୃତଦେହ ଛୁଇଁଲେନାହିଁ। ଏବେକାର ସମାଜକୁ ଜାତିପ୍ରଥା କିଭଳି କବଳିତକରି ରଖିଛି ଏହା ହେଉଛି ତାହାର ଜ୍ୱଳନ୍ତ ଉଦାହରଣ।
ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଧୀନ ଅଣ୍ଟିପଡ଼ା ଗ୍ରାମର ନବୀନ ନାୟକ (୨୦) କିଡ୍ନୀ ରୋଗରେ ପୀଡ଼ିତ ହୋଇ ଗୁରୁବାର ରାତିରେ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ତାଙ୍କ ମୃତଦେହ ଉଠାଇବାକୁ କେହି ଆସିଲେ ନାହିଁ। କାରଣ ନବୀନଙ୍କ ବାପା ଅନ୍ୟ ଜାତିରେ ବିବାହ କରିଥିଲେ। ଏପରିକି ନବୀନଙ୍କ ବାପା କିମ୍ବା ମା’ଙ୍କ ପରିବାର ଲୋକ ମଧ୍ୟ ଆସିଲେନାହିଁ। ଖବରପାଇ ଶୁକ୍ରବାର ସକାଳେ ସାମାଜକ କର୍ମୀ ଭରତ ବାଘ୍ ଏବଂ ଭାଜପା ମାଲଗାଁ ମଣ୍ଡଳ ସଭାପତି ତରନ୍ ନାୟକ ଅଣ୍ଟିପଡ଼ାରେ ପହଞ୍ଚିଥିଲେ। ଗାଁ ଲୋକଙ୍କୁ ବୁଝାଶୁଝା କରିବା ସତ୍ତ୍ୱେ କେହି ଆସିଲେନାହିଁ। ଶେଷରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଏବଂ ବଜରଙ୍ଗ ଦଳ ସହ ଯୋଗାଯୋଗ କରାଯାଇଥିଲା। ଖବର ଶୁଣି ଆର୍ଏସ୍ଏସ୍ ବ୍ୟବସ୍ଥା ପ୍ରମୁଖ ଲୋକେଶ ସମରଥ, ପ୍ରଚାର ପ୍ରମୁଖ ହୃଷୀକେଶ ନାୟକ, ବଜରଙ୍ଗ ଦଳ ପ୍ରମୁଖ ଶ୍ରୀମନ୍ତ ରଥଙ୍କ ସହ ସଂଘର ଅନ୍ୟମାନେ ପହଞ୍ଚତ୍ ମୃତଦେହ ଉଠାଇଥିଲେ। ସେମାନେ କୋକେଇରେ ମୃତଦେହକୁ ସସମ୍ମାନେ ନେଇ ଦୀର୍ଘ ୩ କି.ମି. ଦୂରରେ ସତ୍କାର କରିଥିଲେ।