୨ଶହ ଟଙ୍କା ପାଇଁ ପୁଅର କାଠବେଣ୍ଟ ମାଡ଼ରେ ବାପ ମୃତ

ରାଉରକେଲା,୨୫।୪(ସଙ୍ଗୀତା ଜେନା): ଦକ୍ଷିଣ ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ଆଇଡିଏଲ୍‌ ଗୋପବନ୍ଧୁନଗରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୨ଶହ ଟଙ୍କା ଦେବାକୁ ରାଜି ନ ହେବାରୁ ପୁଅର କାଠବେଣ୍ଟ ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋପବନ୍ଧୁନଗରର ଗଗନ ବିହାରୀ ମଲ(୬୨)। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ସନ୍ତୋଷ ମଲ(୨୪)ଙ୍କୁ ଗିରଫ କରିଛି। ଏ ନେଇ ସମ୍ପୃକ୍ତ ଥାନାରେ ଏକ ମାମଲା (ନଂ.୮୯/୨୫) ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ନିରଞ୍ଜନ ସେଠୀ ପ୍ରକାଶ କରିଛନ୍ତି।

ପୋଲିସ ସୂଚନା ଅନୁସାରେ, ଗୋପବନ୍ଧୁନଗରରେ ଗଗନ ୨ ପୁଅଙ୍କ ସହ ରହୁଥିଲେ ଏବଂ ଆଇଡିଏଲ୍‌ ଛକରେ ଏକ ପାନଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ସାନପୁଅ ସନ୍ତୋଷ ଘରେ ତିଆରି ହୋଇଥିବା ଖାଦ୍ୟରେ ଅସନ୍ତୁଷ୍ଟ ହୋଇ ତାହା ଗ୍ରହଣ କରି ନ ଥିଲେ। ପରେ ସେ ପାନଦୋକାନକୁ ଯାଇ ଗଗନଙ୍କୁ ୨ଶହ ଟଙ୍କା ମାଗିଥିଲେ। ଗଗନ ଟଙ୍କା ଦେବାକୁ ମନା କରିବାରୁ ସନ୍ତୋଷ ଦୋକାନ ଭିତରେ ଥିବା ଏକ କାଠବେଣ୍ଟରେ ତାଙ୍କ ମୁଣ୍ଡ ପଛପଟକୁ ପିଟି ଦେଇଥିଲେ। ଫଳରେ ଗଗନ ତଳେ ପଡ଼ିଯାଇଥିଲେ। ଏହାପରେ ସେ ବାପାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ଗଗନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆର୍‌ଜିଏଚ୍‌ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ସ୍ତ୍ରୀ ପ୍ରମିଳା ମଲ(୬୦) ଏ ନେଇ ଥାନାରେ ଏତଲା ଦେଇଛନ୍ତି।

Share