ବଲାଙ୍ଗୀର, ୩୦।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସିରିଜ ଚୋରି ଓ ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାପପୁଅଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ଛେଣ୍ଡ ଥାନା ଅନ୍ତର୍ଗତ ଟିସ୍କୋ ସାଇଡିଂର ରମେଶ ଓରଫ ଗଜପତି ସୁନା (୬୦) ତାଙ୍କ ପୁଅ ସମୀର ଓରଫ ସାମିନ ଓରଫ ରବି ସୁନା (୨୭) ଏବଂ ଅର୍ଜୁନ ଓରଫ ଶୁଭମ ଓରଫ ଗିରଫ ଦୀପକ ସୁନା (୨୫)। ବଲାଙ୍ଗୀର ସଦର ଏସଡିପିଓ ସରୋଜ ଉପାଧ୍ୟାୟ ସ୍ଥାନୀୟ ଟାଉନ ଥାନାରେ ଖବରଦାତା ସମ୍ମିଳନୀ ଡାକି ସିରିଜ ଚୋରି ଏବଂ ଲୁଟ ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ସୂଚନା ଅନୁଯାୟୀ, ଗତ ୨୦୨୪ ଫେବୃୟାରୀ ୨୭ ତାରିଖ ରାତିରେ ବଲାଙ୍ଗୀର ସହର ଗାନ୍ଧୀନଗରପଡାର ଦେବରଞ୍ଜନ ପାଢ଼ୀ ଘରେ ନଥିବାବେଳେ ତାଙ୍କ ଘରୁ ସୁନା, ରୁପା ଅଳଙ୍କାର ସମେତ ଅନ୍ୟାନ୍ୟ ଜିନିଷପତ୍ର ଚୋରି ହୋଇଯାଇଥିଲା। ଏନେଇ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (୧୪୭/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୋଲିସ ଉପରୋକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଟାଉନ ଥାନା ଆଇଆଇସି ଅବନୀ ସାହୁ, ଅତିରିକ୍ତ ଥାନାଧିକାରୀ ଏଫ ଇକ୍କା, ଏଏସଆଇ ବୈକୁଣ୍ଠ ଦେହୁରୀ ଓ ଅନ୍ୟ ପୋଲିସ କର୍ମଚାରୀ ତିନି ଅଭିଯୁକ୍ତଙ୍କୁ ରାଉରକେଲା ଏବଂ ବରଗଡରୁ ଗିରଫ କରିଥିଲେ। ଏହି ଘଟଣା ସହ ଅଭିଯୁକ୍ତମାନଙ୍କ ନାଁରେ ବଲାଙ୍ଗୀର ଜିଲାର ପୁଇଁନ୍ତଲା ଥାନା, ଲକ୍ଷ୍ମୀଯୋର ଥାନା, ସମ୍ବଲପୁର ଜିଲାର ହୀରାକୁଦ, ସୁନ୍ଦରଗଡ ଜିଲାର ରାଉରକେଲା, ବରଗଡ ଜିଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। କେବଳ ବଲାଙ୍ଗୀର ଜିଲାରେ ୧୦ରୁ ଅଧିକ ଚୋରି ଏବଂ ଲୁଟ ଘଟଣାରେ ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ଥିବା ଏସଡିପିଓ ଉପାଧ୍ୟାୟ କହିଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଲୁହା ହାତୁଡି, ଏକ କଟର, ଲାଲରଙ୍ଗର ଶାଢ଼ୀ, ମୋବାଇଲ ଫୋନ, ଏକ ଚେନ, ପାସ୍ବୁକ, ଏକ ହଜାର ଟଙ୍କା, ଏକ ହାତଘଣ୍ଟା ଜବତ କରିଛି । ସହରର ବିଭିନ୍ନ ସ୍ଥାନରୁ ବାପ ପୁଅ କିପରି ଚୋରି କରିଥିଲେ l ସେହି ସ୍ଥାନକୁ ନେଇ ଟାଉନ ପୋଲିସ ସିନ୍ ରିକ୍ରିଏଶନ କରିଥିଲେ। ଏହି ଚୋରମାନଙ୍କୁ ଦୀର୍ଘ ଦିନ ଧରି ପୋଲିସ ଖୋଜୁଥିଲେ । ଏମାନଙ୍କୁ ଧରିବା ପରେ ପୋଲିସର ବଡ଼ ସଫଳତା ବୋଲି ପଡା ବାସୀ କହିଛନ୍ତି।

