ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ସାମାଜିକ କର୍ମୀ ଜଣକ ହେଉଛନ୍ତି ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମଙ୍ଗଳବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ମନୋଜ ଗ୍ରାମର ବାଇପାସ ଛକରେ ଠିଆ ହୋଇଥିବା ବେଳେ ଗ୍ରାମର କାଳୁ ଗୌଡ଼, ଶିବ ଗୌଡ଼, ଟୁକୁନା ଗୌଡ଼, ମନୋଜ ଗୌଡ଼, କାଲା ଗୌଡ଼, ସୋନୁ ଗୌଡ଼ ଏବଂ ରାମକୃଷ୍ଣ ଗୌଡ଼ ପ୍ରମୁଖ ମାରଣାସ୍ତ୍ର ଧରି ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନା ଚେନ୍ ଓ ପକେଟରୁ ଟଙ୍କା ମଧ୍ୟ ଛଡ଼ାଇ ନେଇଛନ୍ତି। ପୂର୍ବ ଶତ୍ରୁତା ଓ ରାଜନୈତିକ ପ୍ରୋରଚନାରୁ ଏହି ଆକ୍ରମଣ ହୋଇଥିବା ମନୋଜ କେ.ନୂଆଗାଁ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି।
ଏତଲା ଅନୁସାରେ, ଆକ୍ରମଣକାରୀଙ୍କ ମଧ୍ୟରୁ କାଳୁ ଗୌଡ଼ ଓ ମନୋଜ ଗୌଡ଼ଙ୍କ ନାମରେ ପୂର୍ବରୁ ହତ୍ୟା ମାମଲା ରହିଛି। ଗତ ୨୦୨୫ ନଭେମ୍ବର ମାସରେ ସହଦେବଟିକରପଡ଼ା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶ୍ୟାମ ନାଇକଙ୍କୁ ହତ୍ୟା ଉଦ୍ୟମ ମାମଲାରେ କାଳୁ ଗୌଡ଼ ଜେଲ ଯାଇ ଜାମିନରେ ମୁକୁଳିଥିଲେ। ପଞ୍ଚାୟତର ଜଣେ ଭାଜପା ନେତାଙ୍କ ଉସୁକାଇବା ଯୋଗୁ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ମନୋଜ ପୋଲିସ ଆଗରେ ପ୍ରକାଶ କରିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ଆଇଆଇସି ବିଶ୍ୱଜିତ ନାୟକ ସଦଳବଳେ ସହଦେବଟିକରପଡ଼ା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗିରଫ ଭୟରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ରାତି ଅଧିଆ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ବର୍ତ୍ତମାନ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିଲେ ହେଁ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ପୋଲିସ ସୂଚନା ଦେଇଛି।