ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, କୋରାପୁଟର ୧ ଲକ୍ଷ ୩୩ ହଜାର ୭୧୭ ଚାଷୀ ଉପକୃତ

କୋରାପୁଟ,୨୭ା୮(ଅମିତାଭ ବେହେରା): ବୁଧବାର ପବିତ୍ର କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସିଏମ କିଷାନ’ ସହାୟତା ରାଶି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ୨୦୨୫-୨୬ ରବି ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଥିବା ଏହି ସହାୟତା ଦ୍ୱାରା ରାଜ୍ୟରେ ପ୍ରାୟ ୫୧ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେଉଥିବା ବେଳେ କୋରାପୁଟ ଜିଲାର ୧ ଲକ୍ଷରୁ ଊଦ୍ଧର୍‌ବ ଚାଷୀ ଉପକୃତ ହୋଇଛନ୍ତି। ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରାଯାଇଛି।

ସ୍ଥାନୀୟ ସଦ୍‌ଭାବନା ସଭାଗୃହ ଠାରେ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୋରାପୁଟ ଜିଲାର ୧ ଲକ୍ଷ ୩୩ ହଜାର ୭୧୭ ଜଣ ଚାଷୀଙ୍କୁ ୨୬ କୋଟି ୭୪ ଲକ୍ଷ ୧୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲା କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ ଯୋଗଦେଇ ପରିଚାଳନା କରିଥିଲେ। କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର ଏବଂ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହଙ୍କ ସମେତ ସହରାଞ୍ଚଳ ଚାଷୀଙ୍କୁ ସିଏମ୍‌ କିଷାନ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ। ଏଥିରେ ଚାଷୀମାନେ ବର୍ଷକୁ ଦୁଇଟି କିସ୍ତିରେ ମୋଟ୍‌ ୪ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପାଇବେ। ଭୂମିହୀନ କୃଷକ ପରିବାରକୁ ୩ଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ।ଏହି କାର୍ଯ୍ୟକ୍ରମକୁ କୋରାପୁଟ ଜିଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ ଯୋଗଦେଇ ପରିଚାଳନା କରିଥିବାବେଳେ କୃଷି ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

Share