ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ଭୋଗରାଇ,୨୫ା୬(ପ୍ରଦୀପ ଦାସ): ସରକାର ଚାଷୀଙ୍କଠାରୁ ଟାର୍ଗେଟ୍‌ ଅନୁଯାୟୀ ରବିଧାନ କିଣୁ ନ ଥିବାରୁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାଉଁଶଡିହା ସେବାସମବାୟ ସମିତିର ହଜାର ହଜାର ଧାନ ଚାଷୀ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ବାଉଁଶଡିହା ଛକରେ ସକାଳ ସାଢ଼େ ୯ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ରାସ୍ତାରୋକୋ କରିବା ସହିତ ସେବା ସମବାୟ ସମିତିରେ ତାଲା ପକାଇ ନାରାବାଜି ପ୍ରଦର୍ଶନ କରିଥିଲେ। ରାସ୍ତାରୋକୋ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଚାରିଚକିଆ ଯାନର ଲମ୍ବା ଲାଇନ ଲାଗିଥିଲା। ବସ୍‌ ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ହଇରାଣ ହରକତ ହୋଇଥିଲେ।

ଘଟଣାସ୍ଥଳକୁ ଭୋଗରାଇ ତହସିଲଦାର ସୂର୍ଯ୍ୟ କୁମାର ନାୟକ, ବ୍ଲକ ସମ୍ପ୍ରସାରଣ ଅଧିକାରୀ ବସନ୍ତ ଗିରି, ଯୋଗାଣ ବିଭାଗ ଅଧିକାରୀ ସମେଶ୍ୱର ବେହେରା ଚାଷୀ ନେତାଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ଚାଷୀଙ୍କୁ ୩୦ ତାରିଖ ସୁଦ୍ଧା ଧାନ କ୍ରୟ ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ। ରାସ୍ତାରୋକୋ ଯୋଗୁ ଜଳେଶ୍ୱର ଏସ୍‌ ଡିପିଓ ମାନସ କୁମାର ଦେଓ ସହ ପୋଲିସ ବାହିନୀ ଆନ୍ଦୋଳନକାରୀଙ୍କ ଚାପର ସମ୍ମୁଖୀନ ହୋଇଥିଲେ। ଚାଷୀଙ୍କ ଆନ୍ଦୋଳନ ହଟିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

Share