ବରଗଡ଼,୮।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଏଠାରେ ସର୍ବାଧିକ ଧାନ ଉପତ୍ାଦନ ହେଉଥିବାରୁ ଜିଲାର ଏଭଳି ପରିଚୟ ରହିଛି। ମାତ୍ର ଜିଲାର ଚାଷୀଙ୍କ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଅଦିନିଆ ବର୍ଷା ତ ଆଉ କେବେ ରୋଗପୋକ ଉପଦ୍ରବ ଯୋଗୁ ଫସଲ ନଷ୍ଟ ହେଉଛି। କେବଳ ସେତିକି ନୁହେଁ, ଜିଲାର ଚାଷୀଙ୍କ ପାଇଁ ଧାନ ବିକ୍ରିବଟା ସମସ୍ୟା ପାଲଟିଛି। ଧାନ ବିକ୍ରି ଲାଗି ପଞ୍ଜୀକରଣଠାରୁ ଟୋକନ ପର୍ଯ୍ୟନ୍ତ ରାଜ୍ୟ ସରକାର ନାନା କଟକଣା ଆଣୁଛନ୍ତି। ଧାନ କିଣାବିକା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏଭଳି କଟକଣା ଅଣାଯାଉଥିବା ରାଜ୍ୟ ସରକାର କହୁଛନ୍ତି। ଅନ୍ୟପଟେ ସେଭଳି କଟକଣା ଯୋଗୁ କେବଳ ହଟହଟା ନୁହେଁ, ଅମଳ ଧାନକୁ ସେମାନେ ଠିକ୍ଭାବେ ବିକ୍ରି କରିପାରୁ ନ ଥିବା ବେଳେ ଚାଷକାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ବରଗଡ଼ ଜିଲାରେ ଅନୁରୂପ ପରିସ୍ଥିତି ଉପୁଜିଛି। ରବିଚାଷ ସମୟ ଗଡ଼ିଚାଲିଛି। ହେଲେ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍ ଧାନ ବିକ୍ରି କରିପାରିନାହାନ୍ତି। ଏଭଳି ସ୍ଥିତିରେ ଅନ୍ୟବର୍ଷ ତୁଳନାରେ ଏଥର ରବିଚାଷ ବିଳମ୍ବ ହୋଇଥିବା ଚାଷୀମାନେ କହିଛନ୍ତି। ରବିରେ ଜିଲାରେ ପ୍ରାୟ ୧ ଲକ୍ଷ ୩୦ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥାଏ। ଏଥିରୁ ଅଧିକାଂଶ ହୀରାକୁଦ ଜଳସେଚିତ ଜମି ରହିଥିବାବେଳେ କେନାଲ ପାଣି ଆସିବା ପରେ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ପ୍ରତିବର୍ଷ ଜାନୁଆରୀ ପହିଲା ସୁଦ୍ଧା କେନାଲ ପାଣି ଆସିଯାଉଥିଲା। ହେଲେ ଏଥର ଗତ ୩ ତାରିଖରୁ ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ପାଣି ଛଡ଼ାଯାଇଛି। ମାତ୍ର ଜିଲାର ଅନେକ ତଳିଅଞ୍ଚଳର ଜମିକୁ ଏପର୍ଯ୍ୟନ୍ତ କେନାଲ ପାଣି ପହଞ୍ଚତ୍ପାରିନାହିଁ। ତେବେ କେନାଲ ପାଣି ଛଡ଼ାଯାଇଥିଲେ ସୁଦ୍ଧା ଧାନକିଣା ଅବ୍ୟବସ୍ଥା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଖରିଫ୍ରେ ଅମଳ ଧାନକୁ କେବେ ବିକିବେ ଏବଂ ଆଉ କେବେ ରବିଚାଷ ଆରମ୍ଭ କରିବେ, ଏଭଳି ଦୋଛକିରେ ଜିଲାର ଚାଷୀମାନେ ରହିଛନ୍ତି।
ବିଗତବର୍ଷଗୁଡ଼ିକୁ ଅନୁଧ୍ୟାନ କଲେ ସାଧାରଣତଃ ଫେବୃଆରୀ ଶେଷସୁଦ୍ଧା ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଉଥିଲା। ଏପରିକି ଜାନୁଆରୀ ୧୫ରୁ ଜିଲାର ବିଭିନ୍ନ ଧାନ କ୍ରୟ କେନ୍ଦ୍ର(ମଣ୍ଡି)କୁ ପର୍ଯ୍ୟାୟକ୍ରମେ ବନ୍ଦ କରିଦିଆଯାଉଥିଲା। କିନ୍ତୁ ଏଥର ଅନେକ ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଜାନୁଆରୀ ଏବଂ ଫେବୃଆରୀ ରହିଛି। ସେହିପରି ବିକ୍ରିଯୋଗ୍ୟ ଧାନ ପରିମାଣ ମଧ୍ୟ ଅନ୍ୟ ବର୍ଷ ତୁଳନାରେ ଯଥେଷ୍ଟ ହ୍ରାସ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଧାନ ଉଠାଣରେ ମନ୍ଥରତା ଏବଂ ବିଭିନ୍ନ ସମୟରେ ନାନା ଦାବି ନେଇ ମିଲର୍ସଙ୍କ ଆନ୍ଦୋଳନ ଯୋଗୁ ଚାଷୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଗୋଟିଏପଟେ ଧାନ ଉଠାଣ ପ୍ରକ୍ରିୟା ତ୍ୱରାନ୍ବିତ ହେଉ ନ ଥିବାରୁ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ସରି ବସିଥିବାବେଳେ ଅନେକ ଚାଷୀ କମ୍ଦରରେ ବେପାରୀ ହାତରେ ଧାନ ଟେକିଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ବରଗଡ଼ ବ୍ଲକ ଅନ୍ତର୍ଗତ କଲାପାଣିର ଜଣେ ଚାଷୀ ସୁରେଶ ନେକାଣ୍ଟି କହିଛନ୍ତି, ଅନ୍ୟବର୍ଷ ସେ ଜାନୁଆରୀ ପହିଲାରୁ ରବିଚାଷ ପ୍ରସ୍ତୁତି ଆରମ୍ଭ କରିଦେଉଥିଲେ। ଜାନୁଆରୀ ୧୫ ସୁଦ୍ଧା ଜମିରେ ଧାନପହ୍ଲା ରୋଇବା କାମ ଆରମ୍ଭ ହେଉଥିଲେ। ମାତ୍ର ଏପର୍ଯ୍ୟନ୍ତ ତାଙ୍କ ଜମିକୁ କେନାଲ ପାଣି ମାଡ଼ିପାରି ନାହିଁ। ଫଳରେ ରବିଚାଷ ପ୍ରସ୍ତୁତି ସେ ଆରମ୍ଭ ସୁଦ୍ଧା କରି ନ ଥିବା କହିଛନ୍ତି। ସେହିପରି ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଚାଷୀ ଋଣଆଣି ଖରିଫ ଚାଷ କରିଥିଲେ। ଅନେକ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନାହାନ୍ତି। ଫଳରେ ଋଣ ପରିଶୋଧ କରି ଏବେ ରବିଚାଷ ପାଇଁ ପୁଣି ଋଣ କରିବା ଚାଷୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେହିପରି ରବିଚାଷ ପାଇଁ ଜମି ହଳ କରିବାଠାରୁ ଆରମ୍ଭ କରି ଧାନପହ୍ଲା ରୋଇବା ପର୍ଯ୍ୟନ୍ତ ଶ୍ରମିକଙ୍କୁ ପାରିଶ୍ରମିକ ଦେବା, ସାର କିଣିବା, ଜମି କାଦୁଅ କରିବା ପାଇଁ ଚାଷୀମାନଙ୍କୁ ଟଙ୍କା ଦରକାର। ଏଭଳି ସ୍ଥିତିରେ ଚାଷୀଙ୍କ ଅମଳ ଧାନ କିଣିବାରେ ଅବହେଳା ନ କରି ଧାନ ଉଠାଣକୁ ତ୍ୱରାନ୍ବିତ କରିବା ଏବଂ ବିକ୍ରିଧାନ ବାବଦକୁ ଚାଷୀମାନଙ୍କୁ ତୁରନ୍ତ ସେମାନଙ୍କ ପ୍ରାପ୍ୟରାଶି ପ୍ରଦାନ କରିବା ବର୍ତ୍ତମାନ ସ୍ଥିତିରେ ଅପରିହାର୍ଯ୍ୟ ହୋଇପଡ଼ିଛି।