ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇ ପାରି ନାହାନ୍ତି । ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ଲାଗି ରହିଛି। ଆବଶ୍ୟକ କାଗଜପତ୍ର ଦାଖଲ ସତ୍ତ୍ବେ ପଞ୍ଜୀକରଣରୁ ବାଦ୍ ପଡି ଧାନ ବିକ୍ରି କରି ପାରି ନ ଥିବା ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଚାଷୀମାନେ ଗତ ୯ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ଗଦା କରି ଧାରଣାରେ ବସିଛନ୍ତି। ତଥାପି ସୁଫଳ ମିଳି ନାହିଁ। ଫଳରେ ସୋମବାର ଚାଷୀମାନେ ପୋଷ୍ଟକାର୍ଡରେ ନିଜ ସମସ୍ୟା ଉଲ୍ଲେଖ କରି ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇଛନ୍ତି। ସୂଚନା ଅନୁଯାୟୀ, ବିଭାଗୀୟ ଅବହେଳା ଯୋଗୁଁ ଜିଲାର ୪୮୦୪ ଜଣ ଚାଷୀ ପଞ୍ଜୀକୃତ ହୋଇ ନ ପାରିବାରୁ ବିଧାୟକ, ଯୋଗାଣ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଜିଲାପାଳଙ୍କ ଜରିଆରେ ଜଣାଇଥିଲେ ।କୌଣସି ସମାଧାନ ନ ହେବାରୁ ଗତବର୍ଷ ନଭେମ୍ବର ମାସ ୧୦ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେତେବେଳେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଧାରଣାସ୍ଥଳୀକୁ ପହଞ୍ଚି ସମସ୍ତ ଚାଷୀଙ୍କ ଟୋକନ ଆସିବ ଏବଂ ଧାନ ବିକ୍ରି କରିପାରିବେ ପ୍ରତିଶୃତି ଦେଇଥିଲେ। ଏହାପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲା। କିଛି ଚାଷୀଙ୍କ ଟୋକନ ଆସିଥିଲା ଏବଂ ଅନେକ ଚାଷୀଙ୍କ ଟୋକନ ନ ଆସିବାରୁ ପୁଣି ଚାଷୀମାନେ ଗତ ୯ତାରିଖରୁ ଧାରଣାରେ ବସିଛନ୍ତି। ତଥାପି ସମସ୍ୟାର ସମାଧାନ ନ ହେବାରୁ ଚାଷୀମାନେ ପୋଷ୍ଟକାର୍ଡ ଯୋଗେ ସିଧାସଳଖ ନିଜ ସମସ୍ୟା ଜଣାଇଛନ୍ତି। ସମସ୍ୟାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

