କେସିଙ୍ଗା,୧୮ା୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜୋଲକୋ ଚେକ୍ଡ୍ୟାମ ମାଧ୍ୟମରେ ଜଳସେଚନ ସୁବିଧା ପାଇଁ ଚାଷୀମାନେ ଖୁସିବ୍ୟକ୍ତ କରିଛନ୍ତି। ସୂଚନା ଅନୁସାରେ ଅଞ୍ଚଳ ଦେଇ ପ୍ରବାହିତ ରେତନଦୀର ଉଭୟ ପାର୍ଶ୍ୱରେ ଥିବା ଚାଷଜମିକୁ ଚାଷୀମାନେ ଉଠା ଜଳସେଚନ ପଏଣ୍ଟ ସାହାଯ୍ୟରେ ପାଣି ମଡାଉଥିଲେ। କିନ୍ତୁ ଗ୍ରୀଷ୍ମଋତୁରେ ରେତନଦୀରେ ଜଳସ୍ରୋତ ଶୁଖିଯାଇ ଜଳ ସଙ୍କଟ ଦେଖାଦେଉଥିଲା। ପାଣି ଅଭାବରୁ ଧାନଫସଲ ନଷ୍ଟ ହେବା ଭଳି ପରିସ୍ଥିତି ଉପୁଜୁଥିଲା। ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ରାଜ୍ୟ ସରକାର ଏକ ବୃହତ ମେଗା ଉଠା ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରିଥିଲେ। ୨୦୧୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ। ହେଲେ ସେ ସମୟରେ ନଦୀରେ ପର୍ଯ୍ୟାପ୍ତ ପରିମାଣର ଜଳ ନ ଥିବାରୁ ଏହା ବିଫଳ ହୋଇଥିଲା। ପରେ ଚାଷୀଙ୍କ ଦାବି କ୍ରମେ ସରକାର ଜୋଲକୋ ନିକଟ ରେତନଦୀ ମଧ୍ୟରେ ଏକ ଚେକ୍ଡେମ ନିର୍ମାଣ କାମ ଆରମ୍ଭ କରି ସମ୍ପୂର୍ଣ୍ଣ କରିଥିଲେ। ବର୍ତ୍ତମାନ ଚେକଡ୍ୟାମରେ ୧୨ ଫୁଟ ଉଚ୍ଚତାରେ ପାଣି ଗଚ୍ଛିତ ରହୁଛି। ଏହା ଦ୍ୱାରା ଏବେ ଖରାଦିନରେ ଚାଷୀମାନେ ରବିଚାଷ କରିପାରୁଛନ୍ତି। ଦାବି ପୂରଣ ହୋଇଥିବାରୁ ଚାଷୀମାନେ ଏବେ ଖୁସି ହୋଇ ତତ୍କାଳୀନ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।


