ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ ଛତ୍ରପୁରସ୍ଥିତ ଜିଲା ଯୋଗାଣ ଅଧିକାରଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମସ୍ତ ଚାଷୀଙ୍କ କିପରି ଧାନ କିଣାଯିବ, କଟନୀ ଛଟନୀ ବନ୍ଦ, ସମ୍ପୂର୍ଣ୍ଣ ଭାବେ ଧାନ ମଣ୍ଡି ଖୋଲିବା ଆଦି ସମ୍ପର୍କରେ ଋଷିକୁଲ୍ୟା ରୟତ ମହାସଭା ସମ୍ପାଦକ ସିମାଞ୍ଚଳ ନାହାକ ବୈଠକରେ ଦାବି ଉପସ୍ଥାପନ କରିଥିଲେ । ଏଥିସହ ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀ ଓ ଭାଗଚାଷୀଙ୍କ ତାଲିକା ସୋସାଇଟି ଏବଂ ପଞ୍ଚାୟତ ଗୃହରେ ଟଙ୍ଗାଇବା, ଜିଲାସ୍ତରରେ ଧାନ କିଣା ପାଇଁ ନୋଡ଼ାଲ ଅଫିସର ନିଯୁକ୍ତ, ସ୍ଥାୟୀ ମଣ୍ଡି ନିର୍ମାଣ ହେବା ପର୍ଯ୍ୟନ୍ତ ବିଗତ ବର୍ଷ ଭଳି ଚାଷୀଙ୍କ ସୁବିଧା ଅନୁଯାୟୀ ପ୍ରତି ପଞ୍ଚାୟତରେ ଅତି କମରେ ୩ଟି ଧାନ କିଣା କେନ୍ଦ୍ର ଖୋଲିବା, ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଧାନ କିଣିବା, ଧାନ କିଣା କମିଟିରେ ପ୍ରତି ଗ୍ରାମର ୫ ଜଣ ଚାଷୀ ପ୍ରତିନିଧିଙ୍କୁ ସାମିଲ କରି ତାଙ୍କୁ ତାଲିମ ଦେଇ ତାଙ୍କର ପରାମର୍ଶରେ ଧାନ କିଣିବା, ପ୍ରଥମେ ଭାଗ ଚାଷୀ ଓ ଛୋଟ ଚାଷୀଙ୍କ ଧାନ କିଣିବା, କଟନୀ ଛଟନୀ କରାଗଲେ ଏମଆଇ ଏବଂ ସୋସାଇଟି ଇନ୍ସପେକ୍ଟର ଉତ୍ତର ଦାୟୀ ରହିବା ଓ ତୁରନ୍ତ ସମସ୍ତ ମଣ୍ଡି ଖୋଲି ଧାନ କିଣିବା ଆଦି ଦାବି ସମ୍ପର୍କରେ ଉପସ୍ଥିତ ଚାଷୀମାନେ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟଙ୍କ ସହ ଯୋଗାଣ ଓ ସମବାୟ ବିଭାଗର ପଦସ୍ଥ ଅଧିକାରୀ,ଚାଷୀ ନେତା ବିଜୟ ସ୍ବାଇଁ, ପୂର୍ଣ୍ଣ ଦାଶ, ରାମ ମୋହନ ପଣ୍ଡା, ପଦ୍ମ ଚରଣ ସାହୁ, ରାଜ କିଶୋର ବସ୍ତିଆ ଓ ଶରତ ପଟ୍ଟନାୟକଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ।


