Categories: ଯାଜପୁର

ମିଳିଲାନି ସରକାରୀ ସହଯୋଗ: ଟଙ୍କା ଆଦାୟ କରି ନାଳ ସଫା କଲେ ଚାଷୀ

ରସୁଲପୁର,୨୭ା୬(ଡି.ଏନ.ଏ.): ପ୍ରଶାସନକୁ ଅନେକ ଗୁହାରି କରିବା ପରେ ମଧ୍ୟ ନାଳ ସଫେଇ ହୋଇ ପାରିଲାନି। ଶେଷରେ ଚାଷୀ ନିଜେ ଟଙ୍କା ଆଦାୟ କରି ନାଳ ସେଫଇ କରୁଛନ୍ତି। ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ଶ୍ରୀବନ୍ତପୁର ଓ ଜାବରା ପଞ୍ଚାୟତ ଚାଷୀଙ୍କ କ୍ଷେତ୍ରରେ ଏହା ଦେଖାଯାଇଛି। ଏଠାରେ ଥିବା କାଣ୍ଡସରା ନାଳ ଦେଇ ୧୦ ବର୍ଷ ହେଲା ବର୍ଷାଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଯାଉଛି। ତେଣୁ ଏହାର ସମାଧାନ ପାଇଁ ଚାଷୀମାନେ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ହେଲେ କେହି ନ ଶୁଣିବାରୁ ଶେଷରେ ଚାଷୀମାନେ ଗୁରୁବାର ଜିଲାପାଳଙ୍କୁ ଭେଟି ଏହି ନାଳ ସଫା କରିବା ପାଇଁ ଅନୁମତି ଲୋଡ଼ିଥିଲେ। ଜିଲାପାଳ ଅନୁମତି ଦେବାପରେ ଚାଷୀ ଜେସିବି ସହାୟତାରେ ନାଳ ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ କେତେଜଣ ଚାଷୀ କହିଛନ୍ତି, ଜନପ୍ରତିନିଧିଙ୍କଠାରୁ ଆରମ୍ଭକରି ପ୍ରଶାସନିକ ଅଧିକାରୀ ନିରାଶ କରିବା ପରେ ଆମେ ଏପରି ପନ୍ଥା ଆପଣାଇଛୁ। ଆଗକୁ ଯଦି ଜିଲା ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରନ୍ତେ ତେବେ ଆମ ଦୁଃଖ ଦୂର ହୁଅନ୍ତା।
ସୂଚନା ଅନୁସାରେ, ଶ୍ରୀବନ୍ତପରୁ ଓ ଜାବରା ପଞ୍ଚାୟତର ମରାଗାଡ଼ିଆ, କାଳିମା ଗଡ଼ା, କାଣ୍ଡସରା ଆଦି ପାଟରେ ୭୦୦ଏକରରୁ ଊର୍ଦ୍ଧ୍ୱ ଚାଷଜମି ରହିଛି। ତେବେ ନାଳ ପୋତି ହୋଇଯିବା କାରଣରୁ ଏଥିରେ ପାଟର ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଚାଷଜମି ବୁଡ଼ି ରହୁଛି।